ବିହାର ପାଇଁ BJPର ବଡ଼ ରଣନୀତି ; ଆସନ ହାତେଇବା ପାଇଁ ଧର୍ମେନ୍ଦ୍ରଙ୍କୁ ଦେଲେ ଗୁରୁଦାୟିତ୍ଵ…

Bihar Big Fight:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ବିହାର ସମେତ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏହାସହିତ ସି.ଆର ପାଟିଲଙ୍କୁ ସହ ମୁଖପାତ୍ର ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାବରୀ ନିଯୁକ୍ତି ଦେଇଛି ଦଳ ।

ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଆଜି ଏକ ଚିଠି ଜାରି କରି ନୂତନ ପଦାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି। ବିହାର ନିର୍ବାଚନ ବ୍ୟତୀତ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି । ଭାରତର ସବୁଠାରୁ ଜଟିଳ ରଣନୀତିର କେନ୍ଦ୍ରରେ ତାଙ୍କୁ ରଖାଯାଇଛି।

ଅଜଣା ନୁହେଁ: ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାରେ ବିହାରର ପ୍ରତିନିଧିତ୍ୱ କରିଥିବା ଧର୍ମେନ୍ଦ୍ର ରାଜ୍ୟର ନିର୍ବାଚନୀ ଗତିଶୀଳତା ପ୍ରତି ଅପରିଚିତ ନୁହଁନ୍ତି। ସେ ପୂର୍ବରୁ ବିହାର ନିର୍ବାଚନ ପାଇଁ ବିଜେପିର ସହ-ପ୍ରଭାରୀ ଏବଂ ରାଜ୍ୟ ପ୍ରଭାରୀ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।

କୌଶଳଗତ ବିଜୟ ରେକର୍ଡ: ହରିୟାଣା, ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ବିହାରରେ ନିର୍ବାଚନ ପରିଚାଳନାରେ ତାଙ୍କର ସଫଳ ଟ୍ରାକ୍ ରେକର୍ଡକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଏହି ପଦ ଦେଇଛି । ଉଚ୍ଚସ୍ତରୀୟ ଯୋଜନା ସହିତ ତୃଣମୂଳ ସ୍ତରର ତାଙ୍କର ଦକ୍ଷତା ତାଙ୍କୁ ଜଣେ ସୁରାଜନୈତିକ ଭାବରେ ଖ୍ୟାତି ଅର୍ଜନ କରେଇଛି ।

ଧର୍ମେନ୍ଦ୍ରଙ୍କ ରଣନୈତିକ ଦକ୍ଷତା ଏବଂ ସାଂଗଠନିକ କ୍ଷମତା ବିହାରରେ NDA ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସେ ଓଡ଼ିଶାର ବାସିନ୍ଦା ଏବଂ ତାଙ୍କର ଦୃଢ଼ ରଣନୈତିକ ବୁଝାମଣା ଅଛି।

ପ୍ରଧାନଙ୍କୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶ୍ୱସ୍ତ ପ୍ରତିନିଧି ଭାବରେ ଦେଖାଯାଉଛି। ସେ ୨୦୨୪ ମସିହାରେ ହରିୟାଣାରେ ବିଜେପିର ଐତିହାସିକ ବିଜୟର କାରୀଗରୀ ଥିଲେ। ସେ ୨୦୧୭ରେ ଉତ୍ତରାଖଣ୍ଡ, ୨୦୨୨ରେ ଉତ୍ତର ପ୍ରଦେଶ ଏବଂ ୨୦୨୩ରେ କର୍ଣ୍ଣାଟକ ନିର୍ବାଚନ ପାଇଁ ରଣନୀତିକାର ଭାବରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଗତ ବର୍ଷ ଓଡ଼ିଶାରେ ମଧ୍ୟ ବିଜେପି ଜିତିଥିଲା।

ବିହାର ଚ୍ୟାଲେଞ୍ଜ: ନୀତିଶ କୁମାରଙ୍କ ଏନଡିଏ ମେଣ୍ଟକୁ ଫେରିବା ପରେ ୨୦୨୫ ବିଧାନସଭା ନିର୍ବାଚନ ବିହାରରେ ବିଜେପିର ପ୍ରଥମ ବଡ଼ ପରୀକ୍ଷା ହେବ। ଯଦିଓ ମେଣ୍ଟ ସ୍ଥିର ଦେଖାଯାଉଛି, କିନ୍ତୁ ବାସ୍ତବତା ଏତେଟା ସରଳ ନୁହେଁ।

ଏଥର ଏନଡିଏରେ ପାଞ୍ଚଟି ଦଳ ଅଛନ୍ତି । ଜେଡିୟୁ ଓ ବିଜେପି ଶହେରୁ ଅଧିକ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ । ଜେଡିୟୁ ବିଜେପିଠାରୁ କିଛି ଅଧିକ ଆସନରେ ନିର୍ବାଚନ ଲଢ଼ିବ। ଗତଥର ବିଜେପି ୧୧୦ଟି ଆସନରେ ନିର୍ବାଚନ ଲଢ଼ିଥିଲା ଏବଂ ୭୪ଟି ଆସନ ଜିତିଥିଲା । ସେହିପରି ଜେଡିୟୁ ୧୧୫ଟି ଆସନରେ ନିର୍ବାଚନ ଲଢ଼ି ୪୩ଟି ଆସନ ଜିତିଥିଲା ।

ପରବର୍ତ୍ତୀ ପ୍ଲାନ କଣ: ସୂତ୍ର ଅନୁସାରେ ପ୍ରଧାନ ଖୁବ୍ ଶୀଘ୍ର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ, ସ୍ଥାନୀୟ ନେତାମାନଙ୍କୁ ଭେଟିବେ ଏବଂ ବୁଥ୍ ସ୍ତରୀୟ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବେ। ଯଦିଓ ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିସାରିଲେଣି, କେବଳ ଦେଖିବା ବାକି ରହିଲା ବିହାରରେ ବିଜୟ ପତାକା କିଏ ଉଡାଇବ।