fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ଦିପାବଳୀ ଗିଫ୍ଟ

ନୂଆଦିଲ୍ଲୀ,୧୨ ।୧୦: କରୋନା ସଙ୍କଟ ସମୟରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ଯେ, ‘ଅର୍ଥ ବ୍ୟବସ୍ଥାର ଚାହିଦା ବଢାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଚାହିଦା ପ୍ରୋତ୍ସାହିତ କରିବା ପାଇଁ ସରକାର ଉପଭୋକ୍ତା ଖର୍ଚ୍ଚ ଓ ପୁଞ୍ଜି ବ୍ୟୟ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ସରକାର ଏଲଟିସି କ୍ୟାସ ଭାଉଚର ଓ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଆଣିଛନ୍ତି । ବଜାରରେ ଚାହିଦା ବଢାଇବା ପାଇଁ ଖର୍ଚ୍ଚ ଏହି ରାଶି ଆଗୁଆ ଦିଆଯିବ ବୋଲି ସୀତାରମଣ କହିଛନ୍ତି ।

ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଫାଇଦା ଉଠାଇବା ସହ ପବ୍ଲିକ୍‌ ସେକ୍ଟର କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଏହି ସ୍କିମ୍‌ର ଫାଇଦା ଉଠାଇପାରିବେ। ଆସନ୍ତା ମାର୍ଚ୍ଚ ୩୧ ଯାଏ ଏହି ସ୍କିମ୍‌ର ବୈଧତା ରହିଛି।

ଏହାଛଡ଼ା କ୍ୟାପିଟାଲ୍‌ ପ୍ରୋଜେକ୍ଟ ଉପରେ ଖର୍ଚ୍ଚ କରିବା ପାଇଁ ରାଜ୍ୟ ଗୁଡ଼ିକୁ ୧୨ ହଜାର କୋଟି ଟଙ୍କାରେ ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଦେବାକୁ ଘୋଷଣା କରାଯାଇଛି। ଟ୍ରାଭେଲ ଛୁଟି ଭତ୍ତା (ଏଲଟିସି) ପାଇଁ କ୍ୟାସ ଭାଉଚର ଯୋଜନା ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସରକାରୀ କର୍ମଚାରୀ ଏକ ନଗଦ ଭାଉଚର ପାଇବେ, ଯାହା ସେମାନଙ୍କୁ ଖର୍ଚ୍ଚ କରିବାକୁ ସକ୍ଷମ କରିବ । ଏହା ଅର୍ଥନୀତିକୁ ବୃଦ୍ଧି କରିବ । ସେ କହିଛନ୍ତି ଯେ ଏହି ଯୋଜନାର ଲାଭ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ପବ୍ଲିକ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଦିଆଯିବ ।

Get real time updates directly on you device, subscribe now.