fbpx

କୁକୁଡ଼ା ଲଢ଼େଇ ହେଲା କାଳ: ମାଲିକଙ୍କୁ ମାରି ଗିରଫ ହେଲା ଗଞ୍ଜା

ନୂଆଦିଲ୍ଲୀ, ୫ା୩: ମାଲିକଙ୍କୁ ମାରିବା ଅଭିଯୋଗରେ ଥାନା ହାଜତରେ କୁକୁଡ଼ା ନଜରବନ୍ଦୀ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ଖବରଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଗୋଲାପାଲି ଅଞ୍ଚଳର । ସ୍ଥାନୀୟ ଲୋତନୁରୁ ଗାଁର ସତିଶ କୁକୁଡ଼ା ଲଢ଼େଇ ପାଇଁ ନିଜ କୁକୁଡ଼ା ଗୋଡ଼ରେ ଛୁରି ବାନ୍ଧି ପ୍ରସ୍ତୁତ କରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ଦକ୍ଷିଣ ଭାରତରେ କୁକୁଡ଼ା ଲଢ଼େଇକୁ ଏକ ବଡ଼ ପରମ୍ପରା ଭାବେ ପାଳନ କରାଯାଏ । ଏହି ସମୟରେ ପୌଷ ପୂର୍ଣ୍ଣିମାଠାରୁ ଆରମ୍ଭ କରି ତିନି ମାସ ପର୍ଯ୍ୟନ୍ତ ଗାଁ ଗଣ୍ଡାରେ ଜୁଆ ସହିତ ମଦର ଆସର ଜମେ । ସ୍ଥାନୀୟ ଅଞ୍ଚଳରେ ନିୟମିତ କୁକୁଡ଼ା ଲଢ଼େଇରେ ସାମିଲ ହେଉଥିବା ବ୍ୟକ୍ତି ଭାବେ ସତିଶଙ୍କର ବେଶ ନାଁ ରହିଛି । କୁକୁଡ଼ାଟିକୁ ଲଢ଼େଇ ପାଇଁ ସତିଶ ପ୍ରସ୍ତୁତ କରୁଥିବା କୁକୁଡ଼ା ଉଗ୍ରରୂପ ଧାରଣ କରି ଆକ୍ରମଣ କରିଥିଲା । ଫଳରେ ଛୁରିଟି ସତିଶଙ୍କ ତଳିପେଟରେ ବାଜି ଗଭୀର କ୍ଷତ ସୃଷ୍ଟି କରିଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ସତିଶଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ କୁକୁଡ଼ାକୁ ଗିରଫ କରି ଅଟକ ରଖିଛି । ଆବଶ୍ୟକ ହେଲେ କୁକୁଡ଼ାକୁ କୋର୍ଟରେ ହାଜର କରାଯିବ ବୋଲି ଗୋଲାପାଲି ଥାନାଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମାସକ ପୂର୍ବରୁ ତେଲେଙ୍ଗାନାରେ ଦୁଇ କୁକୁଡ଼ାଙ୍କୁ ହାଜତରେ ବନ୍ଦ ରଖାଯିବା ଖବର ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Get real time updates directly on you device, subscribe now.