fbpx

ପିପିଲି ଉପ-ନିର୍ବାଚନକୁ ନେଇ କ’ଣ କହିଲେ ସିଇଓ? ଜାଣନ୍ତୁ

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଉପନିର୍ବାଚନ ପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ମାର୍ଚ୍ଚ ୨୩ ତାରିଖରେ ଉପନିର୍ବାଚନକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । କୋଭିଡ ଗାଇଡଲାଇନ୍ ମାନି ଭୋଟ ଗ୍ରହଣ ହେବ । ଭୋଟରମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବେ । ୮୦ ବର୍ଷରୁ ଅଧିକ ବୟସ୍କ ପୋଷ୍ଟାଲ ବାଲାଟରେ ଭୋଟ୍ ଦେଇପାରିବେ । ଏହା ସହ ଦିବ୍ୟାଙ୍ଗ କିମ୍ବା କରୋନା ଆକ୍ରାନ୍ତ ପୋଷ୍ଟାଲ ବାଲାଟରେ ଭୋଟ ଦେବେ । ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଗଣାଯିବ ।’

ପୁରୀ ଜିଲ୍ଲାରେ ମଡେଲ କୋଡ ଅଫ୍ କଣ୍ଡକ୍ଟ ଲାଗିଛି । ନୋଡାଲ ହେଲଥ ଅଫିସର କୋଭିଡ ଗାଇଡଲାଇନର ତଦାରଖ କରିବେ । ପିପିଲି ଉପନିର୍ବାଚନରେ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କ ଟିକାକରଣ ହେବ । ବୁଥ ସଂଖ୍ୟା ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଇଭିଏମ, ଭିଭିପାଟ ସଂଖ୍ୟା ଦେଢଗୁଣା ବଢାଯାଇଛି । ଏଥର ପିପିଲିରେ ୩୪୮ଟି କେନ୍ଦ୍ରରେ ମତଦାନ ହେବ । ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦୦ ଜଣ ଭୋଟର ଭୋଟ୍ ଦେଇପାରିବେ । ନାମାଙ୍କନ ବେଳେ ପ୍ରାର୍ଥୀ ସର୍ବାଧିକ ୨ଟି ଗାଡି ବ୍ୟବହାର କରିପାରିବେ । ପ୍ରତି କେନ୍ଦ୍ରରେ ଜଣେ ଅଙ୍ଗବାଡି ଓ ଆଶା କର୍ମୀ ନିୟୋଜନ କରାଯିବ । ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ଯିବେ । ରାଜନୈତିକ ସଭା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିବ ବୋଲି ସିଇଓ କହିଛନ୍ତି ।

Get real time updates directly on you device, subscribe now.