fbpx

ମାଗଣାରେ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବ ଇଫକୋ

ନୂଆଦିଲ୍ଲୀ, ୧୯ା୪ (ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଚିକିତ୍ସା ଅଭାବରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ସଂକ୍ରମଣ ଏତେ ବଢ଼ିଯାଇଛି ଯେ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଏବେ କମ୍ ପଡିବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟ କୃଷକ ସାର ସମବାୟ ସମିତି ବା ଇଫକୋ ଗୁଜୁରାଟର କାଲୋଲ ୟୁନିଟରେ ଏକ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରୁଛି । ତେବେ ଏହି ସଂସ୍ଥା ମାଗଣାରେ ଅକ୍ସିଜେନ ହସ୍ପିଟାଲକୁ ଯୋଗାଇବ ବୋଲି ଜଣାପଡିଛି ।

ଇଫକୋ ପ୍ରତି ଘଣ୍ଟାକୁ ୨୦୦ କ୍ୟୁବିକ ମିଟର କ୍ଷମତାର ଅକ୍ସିଜେନ ପ୍ଲାଣ୍ଟ କାଲୋଲ ୟୁନିଟରେ ବସାଇବ । ଦେଶସେବା ପାଇଁ ସଂସ୍ଥା ପକ୍ଷରୁ ମାଗଣାରେ ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ହେବ । ତେବେ ଗୋଟିଏ ସିଲିଣ୍ଡରରେ ୪୬.୭ ଲିଟରର ଅମ୍ଳଜାନ ରହିବ ବୋଲି ଜଣାପଡିଛି । ଏହି ପ୍ଲାଣ୍ଟ ୭୦୦ଟି ବଡ ‘ଡି’ ସିଲିଣ୍ଡର ଓ ୩୦୦ଟି ‘ବି’ ଆକାରର ସିଲିଣ୍ଡରର ମେଡିକାଲ ଅକ୍ସିଜେନ ଉତ୍ପାଦନ କରିବ । କରୋନା ମହାମାରୀରେ ଦେଶକୁ ସହାୟତା ଯୋଗାଇବା ପାଇଁ ଇଫକୋ ଆଉ ୩ଟି ପ୍ଲାଣ୍ଟ ଗଠନ କରିବ ବୋଲି ସୂଚନା ଦେଇଛି ।

ହସ୍ପିଟାଲଗୁଡିକ ନିଜ ହସ୍ପିଟାଲରୁ ସିଲିଣ୍ଡର ଆଣି ଇଫକୋରେ ଭର୍ତ୍ତି କରିନେଇପାରିବେ । ମେଡିକାଲ ଅକ୍ସିଜେନର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେଡିକାଲ ଯୋଗାଣ ପ୍ରକ୍ରିୟାକୁ ବଢାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ଦେଶର ଅଧିକ ସଂକ୍ରମିତ ଥିବା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଅକ୍ସିଜେନ ଅଭାବକୁ ନେଇ ବୈଠକ କରାଯିବା ପରେ ସେଠାକୁ ୬୧୭୭ ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଥିବା ଗୋୟଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.