fbpx

ଗୁଜରାଟ ମୁହାଁ ମାଡିଚାଲିଛି ବାତ୍ୟା ‘ତଉକ୍ତେ’, ଅତିକ୍ରମ କରିପାରେ ସୌରାଷ୍ଟ୍ର ଉପକୂଳ

ଗାନ୍ଧୀନଗର, ୧୭ ।୫: ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉକ୍ତେ’ ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ଏବେ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଏବେ ଗୋଆ ପାଞ୍ଜିମାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୩୬୦ କିଲୋମିଟର ଦୂରରେ ଥିବା ବେଳେ ମୁମ୍ବାଇଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି। ସେହିପରି ଗୁଜରାଟ ଭେରାଭାଲ୍ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୩୫୦ କିଲୋମିଟର ଦୂରରେ ଥିବା ବେଳେ ଡିଉ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିିଛି ବାତ୍ୟା।

ଆଜି ସୁଦ୍ଧା ଏହା ସୌରାଷ୍ଟ୍ର ଦେଇ ଗତି କରି ଆସନ୍ତାକାଲି ସକାଳେ ପୋରବନ୍ଦରରୁ ମହୁଆ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ଉତ୍ତର ମହାରାଷ୍ଟ୍ରରୁ ଗୁଜରାଟ ଉପକୂଳରେ ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିପାରେ। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା ପ୍ରଭାବରେ ଗୁଜରାଟ ସୁରତରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।

ତେବେ ଗତକାଲି ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଭୀଷଣ ବର୍ଷା ହେବା ସହିତ ପାନାଜି ଠାରେ ବଡ ବଡ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଥିଲା । ଗୋଆର କିଛି ଜିଲ୍ଲାରେ ମୁଷଳଧାରାରେ ବର୍ଷା ହେବା ସହିତ ଖୁବ୍ ଜୋରରେ ପବନ ହୋଇଥିଲା । ବାତ୍ୟା ‘ତାଉକ୍ତେ’ ଗୁଜରାଟ ମୁହାଁ ହୋଇଥିବାରୁ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ବିପର୍ଯ୍ୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

Get real time updates directly on you device, subscribe now.