fbpx

ବାତ୍ୟା ୟଶ୍: ପାରାଦୀପରେ ହାଇ ଆଲର୍ଟ ଜାରି

ଜଗତସିଂହପୁର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖରେ ବାତ୍ୟା ୟଶ୍ ପାରାଦୀପ ଏବଂ ସାଗର ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି । ତେଣୁ ଏବେ ପାରାଦୀପରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆଜି ବାତ୍ୟାର ରୂପ ନେଇଥିବା ବେଳେ ଏହାକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି । ବାତ୍ୟା ‘ୟଶ’ ପାରାଦ୍ଵୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ଅଧିକ ଜୋରରେ ପବନ ସହିତ ଉଚ୍ଚ ସାମୁଦ୍ରିକ ଢେ଼ଉ ଉଠିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଯଥେଷ୍ଟ କ୍ଷୟକ୍ଷତି ଘଟାଇବ । ଯାହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦର ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିମିରେ ବହିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।

Get real time updates directly on you device, subscribe now.