fbpx

ଭୟଙ୍କର ତାଣ୍ଡବ ରଚିବ ବାତ୍ୟା ‘ୟଶ୍’: ଆଜି ଗୃହମନ୍ତ୍ରୀ କରିବେ ସମୀକ୍ଷା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଭୟଙ୍କର ତାଣ୍ଡବ ରଚିବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ପରେ ଅତି ଭୀଷଣ ରୂପ ନେବ । ତେବେ ଗତ କିଛି ଘଣ୍ଟା ଧରି ‘ୟଶ୍’ ଶକ୍ତି ସଞ୍ଚୟ କରୁଥିବା ଜଣାପଡ଼ିଛି । ତେବେ ବାତ୍ୟାକୁ ନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି । ଆଜି ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ଉପରାଜ୍ୟପାଳଙ୍କ ସହ ବୈଠକ କରି ବାତ୍ୟା ‘ୟଶ୍’କୁ ନେଇ ସମୀକ୍ଷା କରିବେ ବୋଲି କୁହାଯାଇଛି ।

ଏହି ବାତ୍ୟା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଭୟଙ୍କର ଭାବେ ଉତ୍ପାତ କରିବ । ଏହାଛଡ଼ା ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ବିହାରରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୧୫୫-୧୬୫ରୁ ୧୮୫ କିମି ବେଗରେ ପବନ ବହିବ । ବାତ୍ୟାକୁ ଲକ୍ଷ୍ୟ ରଖି ଏନଡିଆରଏଫ୍ ଓ ବାୟୁସେନାର ଟିମକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ୧୧ଟି ପରିବହନ ବିମାନ, ୨୫ଟି ହେଲିକପ୍ଟର ଓ ନୌସେନାର ଜାହାଜକୁ ଜରୁରୀକାଳୀନ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଆସନ୍ତା ବୁଧବାର ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ସଂସ୍ଥା ସହିତ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ସାମୁଦ୍ରିକ କାର୍ଯ୍ୟରେ ଜଡ଼ିତ ଲୋକମାନଙ୍କୁ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.