ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ମମତା ଖପ୍ପା, ହେବେ ନାହିଁ ସାମିଲ

କୋଲକାତା : ବାତ୍ୟା ୟଶର ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିବା ଏବଂ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶାରେ ପହଂଚି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି । ହେଲେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖପ୍ପା । କାରଣ ଏହି ବୈଠକରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି । କୁହାଯାଉଛି ଏହି ବୈଠକରେ ମମତା ସାମିଲ ହେବେ ନାହିଁ ।

କାଲିକୁଣ୍ଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆହୂତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ ନାହିଁ । ସେ କେବଳ ବାତ୍ୟା ୟଶରେ ରାଜ୍ୟର ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରସ୍ତୁତ ରିପୋର୍ଟ ଦେବା ପାଇଁ କାଲିକୁଣ୍ଡା ଯିବେ । ମମତାଙ୍କ ଏହି ପଦକ୍ଷେପରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ବଢିପାରେ ।

ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ସମୀକ୍ଷା ବୈଠକରେ ରାଜ୍ୟପାଳ ଜଗଦୀପ ଖନଖଡ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟର ସାଂସଦ ଦେବାଶ୍ରୀ ଚୌଧୁରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହା ବାଦ୍ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରିତ କରାଯାଇଛି । ଏହି କାରଣରୁ ମମତା ବାନାର୍ଜୀ ବୈଠକରେ ସାମିଲ ହେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ମମତା କହିଛନ୍ତି, ବାତ୍ୟା ୟଶରେ ପଶ୍ଚିମବଙ୍ଗରେ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ପ୍ରାୟ ୩ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି । ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାଠି ନଜର ଆସିବେ ।