ଆନନ୍ଦପୁର(ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହରରେ କେବେ ସଂକ୍ରମଣ ବଢୁଛି ତ କେବେ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ କିଛି ଫରକ୍ ପଡୁନି । ପ୍ରତିଦିନ ୩୦ରୁ ଅଧିକ ଲୋକଙ୍କର ପ୍ରାଣ ନେଉଛି କରୋନା । ଲୋକମାନଙ୍କ ଅମାନିଆ ଆଚରଣ ଯୋଗୁଁ କରୋନା ମହାମାରୀ ଦିନକୁ ଦିନ ଆହୁରୀ ସକ୍ରିୟ ହେବାରେ ଲାଗିଛି । ପ୍ରଶାସନର କଟକଣାକୁ ଲୋକେ ଫୁ’ କରି ଉଡାଇଦେଉଛନ୍ତି । ଏହାରି ମଧ୍ୟରେ କରୋନାକୁ ନେଇ ଲୋକଙ୍କ ମନରେ ସଚେତନତା ଆଣିବାକୁ ଅଣ୍ଟା ଭିଡିଛନ୍ତି ଜଣେ ମହିଳା ଇନ୍ସପେକ୍ଟର । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ପୋଲିସ ଷ୍ଟେସନର ମହିଳା ଇନ୍ସପେକ୍ଟର ଜଣକ କରୋନା ମହାମାରୀ ଉପରେ ସଚେତନତା ସୃଷ୍ଟି କରିବାକୁ ଓଡିଆ ଗୀତ ଗାଇଛନ୍ତି ।
ରାମଚନ୍ଦ୍ରପୁର ପୋଲିସ ଷ୍ଟେସନରେ ଥିବା ଇନ୍ସନେକ୍ଟର-ଇନ୍-ଚାର୍ଜ ବା ଆଇଆଇସି ବନ୍ଦନା ପାତ୍ର ‘କରୋନା ସଚେତନତା’ ଗୀତ ଗାଇଛନ୍ତି । ଏହି ଗୀତରେ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ବନ୍ଦନା କହିଛନ୍ତି । କାରଣ ଲୋକଙ୍କୁ କାଶ, ଛିଙ୍କ ଓ କଥା କହିବା ସମୟରେ ସାମାଜିକ ଦୂରତା ରଖିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ।
ଏହା ସହ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ହାତରେ ସାନିଟାଇଜର ବ୍ୟବହାର କରିବାକୁ ଇନ୍ସପେକ୍ଟର ବନ୍ଦନା ପାତ୍ର ଗୀତ ମାଧ୍ୟମରେ ଲୋକମାନଙ୍କୁ କହିଛନ୍ତି । କିଛି ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ସେ ପରାମର୍ଶ ଦେଇଛନ୍ତି ।