fbpx

ଏବେ ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବରେ ବିଜେପିକୁ ଟକ୍କର ଦେବେ ଦିଦି ! ଛିଡ଼ା କରାଇବେ ପ୍ରାର୍ଥୀ, ବଦଳିବ ପାର୍ଟିର ନାମ

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନରେ ମୋଦୀ-ଶାହାଙ୍କୁ ଟକ୍କର ଦେବା ପରେ ମମତା ବାନାର୍ଜୀ ଏବେ ଜାତୀୟ ସ୍ତରରେ ବିଜେପିର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିଏମସିକୁ ସମଗ୍ର ଦେଶରେ ବିଜେପିର ବିକଳ୍ପ ଦଳ ଭାବେ ଉପସ୍ଥାପନ କରିବାକୁ ଜୁଟି ଯାଇଛନ୍ତି ମମତା ବାନାର୍ଜୀ । ଏହାକୁ ନେଇ ପାର୍ଟି ଭିତରେ ଟିଏମସିର ନାମ ପରିବର୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସୂତ୍ର ଅନୁଯାୟୀ ଦଳର ନୂତନ ନାମକରଣ ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇ ଯାଇଛି। ଟିଏମସି ନିଜ ପାର୍ଟି ଆଗରେ ଏମିତି କିଛି ଯୋଡିବାକୁ ମାନସ ମନ୍ଥନ ଚଳାଉଛି ଯେଉଁଥିରେ ଅଖଣ୍ଡ ଭାରତ ଆତ୍ମା ଝଲସିି ଉଠିବ । ଉତର ପ୍ରଦେଶରେ ବିଶେଷ କରି ବହୁଜନ ସମାଜ ପାର୍ଟି ନେତା ତଥା ରଣନୀତିଜ୍ଞ ସତୀଶ ଚନ୍ଦ୍ର ମିଶ୍ରଙ୍କ ସହ ପାର୍ଟି ଯୋଗାଯୋଗ କରୁଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଆକ୍ରମଣାତ୍ମକ ଶୈଳୀରେ ଜବାବ ଦେଇଥିଲେ ମମତା ବାନାର୍ଜୀ । ବିଜେପିର ୨୦୦ ସିଟ୍ ଲକ୍ଷ୍ୟକୁ ପାଣିରେ ମିଶାଇ ଦେଇଥିଲେ । ଏବେ ଟିଏମସି ସୂତ୍ର ଅନୁଯାୟୀ, ମମତା ବାନାର୍ଜୀ ଆସନ୍ତା ବର୍ଷ ହେବାକୁ ଥିବା ଉତର ପ୍ରଦେଶ, ଉତରାଖଣ୍ଡ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନରେ ନିଜର ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି । ଏଥିପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଛି ।

କେମିତି ଚାଲିଛି ପ୍ରସ୍ତୁତି ?

ଉତର ପ୍ରଦେଶରେ ଟିଏମସି ଅନେକ ନେତାଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରି ଦେଇଛି । ପ୍ରାୟତଃ ନିସ୍ତେଜ ହୋଇ ସାରିଥିବା ବହୁଜନ ସମାଜ ପାର୍ଟିର ଅନେକ ନେତାଙ୍କ ସଂପର୍କରେ ଅଛନ୍ତି ମମତା ବାନାର୍ଜୀ । ସୂତ୍ର ମୁତାବକ ମାୟାବତୀଙ୍କ ଅତି ଘନିଷ୍ଠ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଟିଏମସି ଯୋଗାଯୋଗ କରିଛି । କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏସବୁ ରାଜ୍ୟରେ ଟିଏମସି ନିଜ ଦମରେ ନିର୍ବାଚନ ଲଢିବ ନା ସହଯୋଗୀଙ୍କୁ ସାଥିରେ ନେଇ ମଇଦାନକୁ ଓହ୍ଲାଇବ।

ଟିଏମସିର ଜଣେ ବଡ ନେତା କହିଛନ୍ତି, ଉକ୍ତ ରାଜ୍ୟଗୁଡିକରେ ନିଜ ମୂଳ ମଜବୁତ କରିବା ଆମର ପ୍ରଥମ ପ୍ରାଥମିକତା । ଯଦି ଆମକୁ ଲାଗିବ ଯେ, ସହଯୋଗୀଙ୍କ ସହ ନିର୍ବାଚନ ଲଢିବେ ଶାସକ ଦଳକୁ ଚ୍ୟାଲେଞ୍ଜ ଦିଆଯାଇ ପାରିବ ତେବେ ଅନ୍ୟ ପାର୍ଟି ସହ ମେଂଟ କରିବାରେ ଆମର କୌଣସି ସମସ୍ୟା ନାହିଁ । ବିଶେଷ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳା ହୋଇଥିବାରୁ ଉକ୍ତ ରାଜ୍ୟରେ ମହିଳା ଭୋଟରଙ୍କୁ କେମିତି ଆକର୍ଷିତ କରାଯାଇ ପାରିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଅତି କମରେ ଦୁଇ ରାଜ୍ୟ ଉତରାଖଣ୍ଡ ଓ ଉତର ପ୍ରଦେଶରେ ବିଜେପିକୁ କଡା ଟକ୍କର ଦେବା ପାଇଁ ମମତା ବିଜେପିର ରଣନୀତି ଆପଣେଇବାକୁ ଯାଉଛନ୍ତି । ଅର୍ଥାତ ବିଜେପିର ଅନସ୍ତୁଷ୍ଟ ନେତାଙ୍କୁ ନିଜ ଦଳରେ ସାମିଲ କରାଇ ଶାସକ ଦଳକୁ ଚେକ୍ ଦେବାକୁ ଦିଦି ବିଚାର କରୁଛନ୍ତି ।

Get real time updates directly on you device, subscribe now.