fbpx

ଭାସୁଥିଲା ୨୦୦-୫୦୦ ଟଙ୍କିଆ ନୋଟ, ପାଣିକୁ ଡେଇଁପଡ଼ିଲେ ଲୋକେ; ଜାଣନ୍ତୁ କେଉଁଠି…

ଆଜମେର: ପାଣିରେ ଭାସୁଥିଲା ପୁଳାପୁଳା ୨୦୦ ଏବଂ ୫୦୦ ଟଙ୍କିଆ ନୋଟ । ଏହା ଜଣାପଡ଼ିବା ପରେ ଆରମ୍ଭ ହୋଇଗଲା ଅଘୋଷିତ ପ୍ରତିଯୋଗିତା । ନୋଟ ଆଣିବାକୁ ଲୋକମାନେ ପାଣିକୁ ଡେଇଁବାକୁ ଲାଗିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଅଜମେରର ଆନାସାଗର ହ୍ରଦରେ ।

ଘଟଣା ଅନୁଯାୟୀ ଆଜମେରର ଆନାସାଗର ହ୍ରଦରେ ରବିବାର ସନ୍ଧ୍ୟାରେ ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଭାସୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ଖବରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା । ଏହାପରେ ସେଠାରେ ରହୁଥିବା ଯାଯାବର ସମୁଦାୟର ଲୋକ ପାଣିକୁ ଡେଇଁଥିଲେ ଏବଂ ଭାସୁଥିବା ନୋଟକୁ ଆଣିବାକୁ ଲାଗିଥିଲେ । ସେତିକି ନୁହେଁ ପୌରପାଳିକା କର୍ମଚାରୀ ମଧ୍ୟ ନୋଟ ଆଣିବା ପାଇଁ ଡଙ୍ଗା ଧରି ପହଞ୍ଚି ଯାଇଥିଲେ । ସୂଚନା ପାଇ ଗଞ୍ଜ ଥାନାଧିକାରୀ ପହଞ୍ଚି ଭିଡ଼କୁ ନୟନ୍ତ୍ରଣ କରିଥିଲେ ଏବଂ ଲୋକମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ । ନୋଟ କିପରି ଓ କେଉଁଠାରୁ ଆସିଲା ଏବଂ ଏହାକୁ କିଏ ଏଠାରେ ପିଙ୍ଗିଛି ସେଥିପାଇଁ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ୍ ।

ଯାଯାବର ସମୁଦାୟର ମୁଖ୍ୟ ମହମ୍ମଦ ଉସ୍ମାନ କହିଛନ୍ତି ଯେ ରବିବାର ହଠାତ୍ ପାଣିରେ ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଭାସୁଥିବା ଦେଖାଯାଇଥିଲା । ଏହାପରେ ଅନେକ ଲୋକ ଏହାକୁ ଆଣିବାକୁ ପାଣି ଭିତରକୁ ଡେଇଁପଡ଼ିଥିଲେ । ସେ ନିଜେ ୨୫୦୦ ଟଙ୍କା ସଂଗ୍ରହ କରିଥିବା କହିଛନ୍ତି । ଅନେକ ଲୋକ ସେଠାରେ ଜମା ହୋଇଥିଲେ ଏବଂ ଆଉ କେତେକ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ସେପଟେ ପୋଲିସ କହିଛି ବୋଧ ହୁଏ କାହାର ପର୍ସ ପାଣିରେ ଭାସିଆସିଥାଇପାରେ । କିନ୍ତୁ କିଛି ଲୋକ ମଧ୍ୟ ବ୍ୟାଗ ଭର୍ତ୍ତି କରିବା କଥା କହିଛନ୍ତି ।

ହ୍ରଦ ସଫା କରୁଥିବା ପୌରପାଳିକା କର୍ମଚାରୀ ମଧ୍ୟ କିଛି ନୋଟ ନେଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଏକ କୌତୁହଳର ବିଷୟ ପାଲଟିଛି ।

Get real time updates directly on you device, subscribe now.