fbpx

ଚଳନ୍ତା ଗାଡିରୁ ଦୁଇ ଜଣ ଗୃହରକ୍ଷୀଙ୍କୁ ଠେଲିଦେଇ ଚମ୍ପଟ ମାରିଥିଲେ, ୫ ଛେଳି ଚୋରକୁ ଧରିଲା ପୋଲିସ

ଜଗତସିଂହପୁର(ଓଡ଼ିଶା ଭାସ୍କର): ଚଳନ୍ତା ଗାଡିରୁ ଦୁଇ ଜଣ ଗୃହରକ୍ଷୀଙ୍କୁ ପେଲି ଫୋପାଡି ଚମ୍ପଟ ମାରିଥିବା ୫ ଛେଳି ଚୋରକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମାଧିବ୍ରହ୍ମପୁରର ତେସିନ୍‌ ଖାନ୍‌ ଓରଫ ରାଜା(୨୭), କଟକ ଜିଲ୍ଲା ନିଆଳି ଥାନା ଅଢ଼ଙ୍ଗ ଗ୍ରାମର ମଜିତ୍‌ ସା ଓରଫ ମଜୋ(୩୧), କଟକ ନିଆଳି ଥାନା ତୋଟାସାହି ପୂର୍ବଖଣ୍ଡା ଗାଁର ପ୍ରକାଶ ଭୋଇ ଓରଫ ବଗିରା(୩୧), ପୁରୀ ଜିଲ୍ଲା ନିମାପଡ଼ା ଥାନା ମାଧିବ୍ରହ୍ମପୁରର ଏସ୍‌କେ ୱାଜିଜ୍‌ ଓରଫ ରୁବୁଲୁ(୨୫) ଏବଂ କଟକ ଜିଲ୍ଲା ନିଆଳି ଥାନା ଅଧୀନ ମାଧବ ଗାଁର ସୁନିଲ ଖାନ୍‌ ।

ଜଗତସିଂହପୁର ଥାନାର ପାଟ୍ରୋଲିଂ ଗାଡ଼ିରେ ଏଏସ୍‌ଆଇ ତ୍ରିଭୂବନ ବେହେରାଙ୍କ ସମେତ ଗୃହରକ୍ଷୀ ନବକିଶୋର ଦାସ ଓ ଗୃହରକ୍ଷୀ ପ୍ରକାଶ କୁମାର ପରିଡ଼ାପାଟ୍ରୋଲି କରୁଥିଲେ । ବାଲିଭଉଁରୀ ଛକରେ ଦୁଇଟି ଗାଡ଼ି ଏକ ନିଛାଟିଆ ଅନ୍ଧାର ସ୍ଥାନରେ ରହିଥିବା ଦେଖି ପାଟ୍ରୋଲି ଗାଡ଼ି ସେଠାରେ ଅଟକି ଯାଇଥିଲା । ପୋଲିସ ସନ୍ଦେହ ହେବାରୁ ଦୁଇଟି ଗାଡ଼ି ଇଣ୍ଡିଗୋ କାର୍‌ ଓଡ଼ି-୦୫-ଏ-୦୬୦୭, ମାରୁତି ସୁଜୁକି ଟୁର୍‌-ଏସ୍‌ କାର୍‌ ଓଡ଼ି-୦୨-ବିଏଲ୍‌- ୫୭୬୯ରେ ଦୁଇ ଜଣ ହୋମ୍‌ଗାର୍ଡ ବସି ଜଗତସିଂହପୁର ଥାନାକୁ ଆଣିବାକୁ ଚେଷ୍ଟା କରିଥିଲେ । ନବକିଶୋର ବସିଥିବା ଗାଡିର ପଛରେ ବସିଥିବା ଚୋର ମାନେ ଏକ ବନ୍ଧୁକରେ ନବକିଶୋରଙ୍କ ମୁଣ୍ଡକୁ ବାଡେଇ ଦେଇଥିଲେ । ପରେ ଚଳନ୍ତା ଗାଡ଼ିରୁ ନବକିଶୋରଙ୍କୁ ଠେଲି ଦେଇ ଦୃତ ଗତିରେ ଫେରାର ହୋଇଯାଇଥିଲେ ।

ସେହିପରି ଏକା ଢ଼ଙ୍ଗରେ ଅନ୍ୟ କାର୍‌ରେ ବସିଥିବା ପ୍ରକାଶଙ୍କୁ ମଧ୍ୟ ଠେଲି ଦିଆଯାଇଥିଲା । ନବକିଶୋର ଓ ପ୍ରକାଶ ପଡି ଖଣ୍ଡଆ ଖାବରା ହୋଇଥିଲେ । ଏନେଇ ଲିଖିତ ଅଭିଯୋଗ କରିବା ପରେ ଜଗତସିଂହପୁର ପୋଲିସ ୨୩୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିଲା । ୫ ଜଣକୁ ଗିରଫ କରିଛି।

Get real time updates directly on you device, subscribe now.