fbpx

ମୋଦୀ ସରକାରଙ୍କୁ ନେଇ ଏତେ ଦ୍ଵନ୍ଦ୍ଵରେ କାହିଁକି ଇମ୍ରାନ ? ଏବେ କହୁଛନ୍ତି- ମୋଦୀ ଯିବା ପରେ ହିଁ ସଂପର୍କ ସୁଧୁରିବ 

ନୂଆଦିଲ୍ଲୀ :  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋଦୀ ସରକାରଙ୍କ ସହ ସଂପର୍କକୁ ନେଇ ସର୍ବଦା ଦ୍ଵନ୍ଦ୍ଵରେ ରହୁଛନ୍ତି। ନିକଟରେ ଆମେରିକାର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ମୋଦୀ ସରକାର କ୍ଷମତାରୁ ହଟିବା ପରେ ଯାଇ ଭାରତ-ପାକିସ୍ତାନ ସଂପର୍କରେ ସୁଧାର ଆସିବ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବିଚାରଧାରାରେ ଚାଲୁଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଇମ୍ରାନ ଭାରତରେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କହିଥିଲେ ଯେ, ଯଦି ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ଆଗକୁ ବଢିପାରେ।

ଏମିତି କଲେ ଭାରତର ପ୍ରଶଂସା

ନ୍ୟୁୟର୍କ ଟାଇମ୍ସର ରିପୋର୍ଟର ଇମ୍ରାନଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ମୋଦୀ ସରକାର କ୍ଷମତାରୁ ଓହରି ଯାଆନ୍ତି ତେବେ କଣ ଭାରତ-ପାକିସ୍ତାନ ସମ୍ବନ୍ଧରେ ସୁଧାର ଆସିବ। ଏହାର ଜବାବରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଭାରତକୁ କନ୍ୟ କୌଣସି ପାକିସ୍ତାନୀଙ୍କଠୁ ବେଶ୍ ଭଲ ଭାବେ  ଜାଣିଛନ୍ତି। ଅନ୍ୟ ଦେଶ ଅପେକ୍ଷା  ଭାରତରେ ଅଧିକ ଭଲ ପାଇବା ଏବଂ ସମ୍ମାନ ମିଳିଥାଏ। କାରଣ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ବହୁତ ବଡ ଖେଳ। ପୁଣି ଦୁଇ ଦେଶରେ ପ୍ରାୟତଃ ଗୋଟିଏ ଧର୍ମ ଥିବାରୁ ଭାରତ ଅଧିକ ଭଲ ଲାଗେ ବୋଲି ଇମ୍ରାନ କହିଛନ୍ତି।

ସେ କହିଛନ୍ତି, ଯେବେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ସର୍ବ ପ୍ରଥମେ ସେ ନରେନ୍ଦ୍ର ମୋଦୀଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଆଲୋଚନା ସମୟରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ତାଙ୍କର ଉଦ୍ଦେଶ୍ୟ ପାକିସ୍ତାନରେ ଗରିବୀ କମ କରିବା। ଇମ୍ରାନ ନିଜର ଆତ୍ମ ପ୍ରଶଂସା କରି କହିଛନ୍ତି, ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗରିବୀ ଦୂର କରିବା ପାଇଁ ସବୁଠୁ ଭଲ ଉପାୟ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଵାଭାବିକ ଓ ସଭ୍ୟ ବ୍ୟବସାହିକ ସମ୍ବନ୍ଧ ସ୍ଥାପନ କରାଯାଉ। ଏଥିରେ ଦୁଇ ଦେଶକୁ ଫାଇଦା ହେବ।

ଭାରତରେ ଅନ୍ୟ ସରକାର ଥିଲେ ସଂପର୍କ ସୁଦୃଢ  ହୋଇଥାନ୍ତା

ଇମ୍ରାନ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ମୁଁ ସର୍ବଦା ଭାରତ ସହ ସୁସଂପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ଆସିଛି, କିନ୍ତୁ ପ୍ରତିପକ୍ଷରୁ କୌଣସି ଉତ୍ତର ମିଳିଲା ନାହିଁ। ମୋତେ ଲାଗୁଛି ଏହା ଆରଏସଏସର ଏକ ବିଚିତ୍ର ବିଚାରଧାରା। ଏହି ବିଚାରାଧାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ସମ୍ବନ୍ଧ ରହିଛି। ଯଦି ଅନ୍ୟ କୌଣସି ଭାରତୀୟ ଦେଶର ନେତୃତ୍ଵ ନେଇଥାନ୍ତେ, ତେବେ ଆମର ତାଙ୍କ ସହ ମଧୁର ସଂପର୍କ ଥାଆନ୍ତା। ଏପରିକି ଆମେ ଆଲୋଚନା ମାଧ୍ୟମରେ ସମସ୍ତ ମତଭେଦକୁ ସମଧାନ କରି ଦେଇଥାନ୍ତୁ।

୨୦୧୯ରେ କଣ କହିଥିଲେ ଇମ୍ରାନ

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ କହିଥିଲେ, ଯଦି ଭାରତରେ ଭାରତୀୟ ଜନତା ପାର୍ଟି ବିଜୟୀ ହୁଏ ଏବଂ ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଶାନ୍ତି ବାର୍ତ୍ତାର ସମ୍ଭାବନା ଅଧିକ ରହିବ। ବିଜେପି ଦକ୍ଷିଣପନ୍ଥୀ ପାର୍ଟି ଏବଂ ସେମାନେ ବିଜୟୀ ହେଲେ କଶ୍ମୀରକୁ ନେଇ ଆଲୋଚନା ଆଗକୁ ବଢି ପାରିବ। ଏପରିକି ସେ ଏହା ମଧ୍ୟ କହିଥିଲେ, ଯଦି ଭାରତରେ କଂଗ୍ରେସ ସରକାର ଗଠନ କରେ ତେବେ ପାକିସ୍ତାନ ସହ ଆଲୋଚନାକୁ ନେଇ ବିଳମ୍ବ  ହୋଇପାରେ।

Get real time updates directly on you device, subscribe now.