fbpx

ଭ୍ୟାକ୍ସିନ ଉପରେ ୟୁଟର୍ଣ୍ଣ ! ମେ’ରେ ଦେଇଥିଲେ ୨୧୬ କୋଟି ଡୋଜର ପ୍ରତିଶ୍ରୁତି, ଏବେ ସରକାର କହୁଛନ୍ତି ୧୩୫ କୋଟି ମିଳିବ

ନୂଆଦିଲ୍ଲୀ : ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ପ୍ରାୟ ୨୧୬ କୋଟି ଡୋଜ୍ ଉପଲବ୍ଧ କରାଯିବ  ବୋଲି ମେ ମାସରେ କହିଥିଲେ କେନ୍ଦ୍ର ସରକାର। ହେଲେ ଏବେ ମୋଦୀ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଏହି ଅବଧିରେ ୧୩୫ କୋଟି ଡୋଜ୍ ଯୋଗାଇ ଦିଆଯାଇ ପାରିବ। କେନ୍ଦ୍ର ସରକାର ଉଚ୍ଚ ନ୍ୟାୟାଳୟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେହି ହିସାବରେ ପ୍ରଥମ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ୮୧ କୋଟି ଭ୍ୟାକ୍ସିନ କମ ରହିଛି।

ଶନିବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ୨୦୨୧ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ କୋଭିଡ୍-୧୯ର ମୋଟ୍ ୧୩୫ କୋଟି ଟିକା ଉପଲବ୍ଧ କରାଯିବ। ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ ୟୁନିଟ୍ ଭ୍ୟାକ୍ସିନର ୩୦ କୋଟି, ଜାଇଡସ କାଡିଲା ଭ୍ୟାକ୍ସିନର ୫ କୋଟି ଓ ସ୍ପୁଟନିକ ଭିର ୧୦ କୋଟି ସାମିଲ। ଗୋଟିଏ  ପ୍ରକାରେ କହିବାକୁ ଗଲେ ସରକାର ଟିକା ମାମଲାରେ ୟୁ ଟର୍ଣ୍ଣ ନେଇଛନ୍ତି। କାରଣ ମେ ମାସରେ କହିଥିଲେ ଡିସେମ୍ବର ସୁଦ୍ଧା ୨୧୬ କୋଟି କରୋନା ଟିକା ଉପଲବ୍ଧ ହୋଇଯିବ। ସେ ପୁଣି ନୀତି ଆୟୋଗର ସ୍ଵାସ୍ଥ୍ୟ ସଦସ୍ୟ ଭିକେ ପଲ୍ ଏହାର ଘୋଷଣା କରିଥିଲେ।

ସରକାର ଶନିବାର ଅଦାଲତରେ କହିଛନ୍ତି, ଜୁଲାଇ ୩୧ ସୁଦ୍ଧା କୋଭିଡ୍ ଟିକାର ମୋଟ୍ ୫୧.୬ କୋଟି ଡୋଜ୍ ଯୋଗାଇ ଦିଆଯିବ। ଏଥିରୁ ୩୫.୬ କୋଟି ଭ୍ୟାକ୍ସିନର ପ୍ରଥମ ଡୋଜ୍ ପୂର୍ବରୁ ଉପଲବ୍ଧ କରାଯାଇଛି।  ଶିଶୁଙ୍କ ଟିକାକରଣ ଉପରେ ସରକାର ଦାଖଲ ସତ୍ୟପାଠରେ କହିଛନ୍ତି, ଭାରତ ଔଷଧ ନିୟାମକ ମେ ୧୨ରେ ଭାରତ ବାୟୋଟେକୁ କୋଭାକ୍ସିନର କ୍ଲିନିକଲ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ଏହି  ପରୀକ୍ଷଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇ ଯାଇଛି।

ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ, ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟେ, ତେବେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଆନୁସଙ୍ଗିକ ସ୍ଵାସ୍ଥ୍ୟସେବା ମଜବୁତ କରିବା ଦିଗରେ କାମ କରୁଛନ୍ତି। ଏବେଠୁ କହି ହେବ ନାହିଁ ଯେ, ଦେଶରେ ତୃତୀୟ ଲହର ଆସିବ ଏବଂ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। କାରଣ ଏହା ଲୋକଙ୍କ ବ୍ୟବହାର ଏବଂ କରୋନା ସଚେତନ ଉପରେ ନିର୍ଭର କରେ। ଯଦି ଲୋକେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ପାଳନ କରିବେ ଏବଂ କୋଭିଡ୍-୧୯ର ଗାଇଡ୍ ଲାଇନ୍ ପାଳନ କରିବେ ତେବେ ତୃତୀୟ ଲହରକୁ ଏଡାଇ ଦିଆଯାଇ ପାରିବ।

Get real time updates directly on you device, subscribe now.