fbpx

ଅଣସର ତ୍ରୟୋଦଶୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ସମ୍ପନ୍ନ

ପୁରୀ(ଓଡ଼ିଶା ଭାସ୍କର): ଅଣସର ତ୍ରୟୋଦଶୀ ଅବସରରେ ମହାପ୍ରଭୁଙ୍କ ଘଣାଲାଗି, ଖଳିଲାଗି ସହ ଖଡ଼ିପ୍ରସାଦ ବିଜେ ନୀତି ସମ୍ପାଦିତ ହୋଇଛି । ସେପଟେ ରଥନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ସମସ୍ତ ସେବାୟତଙ୍କୁ ଟିକାକରଣ ପାଇଁ ଜିଲ୍ଲାପାଳ ଅପିଲ୍ କରିଥିବା ବେଳେ ରଥଯାତ୍ରା ପାଇଁ ଏସଓପିକୁ ନେଇ ଜିରୋ ଟଲେରାନ୍ସ ଭାବେ ବିଚାର କରାଯିବ ବୋଲି ଏସପି କହିଛନ୍ତି ।

ମଙ୍ଗଳବାର ରାଜେନ୍ଦ୍ରଭିଷେକ ନୀତିରେ ପତିମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ । ଏଥିସହ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରିଥିଲେ । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳିପ୍ରସାଦ ଓ ଖଡ଼ିପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳିପ୍ରସାଦ ଶୁଦ୍ଧସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା । ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।

ସେପଟେ ଆଉ ମାତ୍ର ଚାରିଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଗୁରୁବାର ଠାରୁ ସେବାୟତଙ୍କ ଆରଟିପିସିଆଆର ଟେଷ୍ଟ ଆରମ୍ଭ ହେବ । ପ୍ରାୟ ୩୦୦୦ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଏପଟେ ସେବାୟତଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସେବାୟତମାନେ ପ୍ରଶାସନ ପକ୍ଷରୁ ହୋଇଥିବା କୋଭିଡ ଟେଷ୍ଟିଂ କେନ୍ଦ୍ରକୁ ଆସି ଟେଷ୍ଟ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ବଡ଼ଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି । ସମସ୍ତ ସାହି ବାସିନ୍ଦା ଓ ମୁରବୀଙ୍କ ସହ ଆଲୋଚନା ହୋଇଛି । ସେପଟେ ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଥିବା ରଥନିର୍ମାଣ ପ୍ରାୟ ୯୫ ପ୍ରତିଶତ ଶେଷ ହୋଇଛି । ରଥଯାତ୍ରା ଆଉମାତ୍ର ୪ଦିନ ବାକି ଥିବାବେଳେ ତିନିରଥର ଠେକରାବାଡ ଉଠି ୧୨ଟି ଅଶ୍ୱ ଓ ୩ଟି ସାରଥୀ ଆବଶ୍ୟକ ମରାମତି ପରେ ରଙ୍ଗ କରାଯାଇଛି । ଚିତ୍ରକାର ସେବକଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ସରିଛି । ନେତ୍ରଉତ୍ସବ ଦିନ ଦରଜୀ ସେବକଙ୍କ ଦ୍ୱାରା ସିଲେଇ ହୋଇଥିବା ରଥକନା ମଣ୍ଡଣୀ କରାଯିବ । ଏନେଇ ଆଜି ଜିଲ୍ଲାପାଳ ଓ ଏସପି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି । ବିନା ଶ୍ରଦ୍ଧାଳୁ ସମାଗମରେ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.