fbpx

ଆନ୍ଦୋଳନ ପରେ ବିଏଡ୍ ତାଲିମଧାରୀଙ୍କୁ ମିଳିଲା ସୁଯୋଗ, ବଢ଼ିଲା ଆବେଦନର ସମୟସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ସମୟ ସୀମା ଜୁଲାଇ ମାସ ୧୩ ତାରିଖ ଥିବାବେଳେ ଏବେ ତାହା ବୃଦ୍ଧି କରାଯାଇ ୧୮ ତାରିଖ ରଖାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ୍ ଓ ମାଟ୍ରିକ ମୂଲ୍ୟାୟନ ସକାଶେ ଓଏସଏସଟିଇଟି ପରୀକ୍ଷାରେ ବିଳମ୍ବ ଘଟିଛି । ସ୍ନାତକରେ ୨୦୦ ମାର୍କ ବାଧ୍ୟତାମୂଳକ ବ୍ୟବସ୍ଥା ହଟାଇ ଦିଆଯିବା ସହ ବିଏଡ୍ ତାଲିମଧାରୀଙ୍କୁ ଓଏସଏସଟିଇଟିରେ ଭାଗନେବାକୁ ଅନୁମତି ଦିଆଯାଇଛି । ଏଣିକି ସ୍କୁଲରେ ପଢ଼ିଥିବା ଦୁଇଟି ବିଷୟରେ ବିଜ୍ଞାନ ଓ କଳା ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ଓଏସଏସଟିଇଟି ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ଦୁଇଟି ସ୍କୁଲ ବିଷୟରେ ଗ୍ରାଜୁଏଟ୍ ହୋଇଥିବା ଦରକାର । ତେବେ ୨୦୦ ମାର୍କରେ ଦୁଇଟି ବିଷୟରେ ପାସ୍ କରିଥିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ଓଏସଏସଟିଇଟି, ଚୁକ୍ତିଭିତ୍ତିକ ଶିକ୍ଷକ ଓ ବିଏଡ୍ ନିୟମାବଳୀରେ କୌଣସି ସମନ୍ୱୟ ରହୁନଥିବାରୁ ଓଡ଼ିଶାର ଅନେକ ବିଏଡ୍ ଛାତ୍ରଛାତ୍ରୀ ଓଏସଏସଟିଇଟିରେ ଭାଗ ନେବାକୁ ବଞ୍ଚିତ ହେଉଥିଲେ । ତେଣୁ ଗତକାଲି ଏନେଇ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ କରିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀଙ୍କ ଦାବିକୁ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆଜି ବିଭାଗ ପକ୍ଷରୁ ନିୟମାବଳୀରେ ସଂଶୋଧନ କରାଯାଇଛି ।

Get real time updates directly on you device, subscribe now.