ଯେଉଁଠି ଚା ବିକୁଥିଲେ, ଆଜି ସେହି ରେଲଓ୍ଵେ ଷ୍ଟେସନର ନୂତନ ପରିସରର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : କର୍ମଭୂମି ବାରଣାସୀକୁ ଅନେକ ଉପହାର ଦେବା ପରେ ଆଜି ଜନ୍ମଭୂମି ଗୁଜରାଟକୁ ଅନେକ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶୁକ୍ରବାର ଗୁଜରାଟରେ ୧୧୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ପୁନଃର୍ନିମିତ  ବଡନଗର ରେଲଓ୍ଵେ ଷ୍ଟେସନର ମଧ୍ୟ ଉଦଘାଟନ କରିବେ। ଏ ହେଉଛି ସେହି ରେଲଓ୍ଵେ ଷ୍ଟେସନ ଯେଉଁଠି ପ୍ରଧାନମନ୍ତ୍ରୀ ଛୋଟ ବେଳେ ଚା ବିକୁଥିଲେ। ଏହି ରେଲଓ୍ଵେ ଷ୍ଟେସନ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାପା ଦାମୋଦରଦାସ ମୋଦୀଙ୍କ ଚା ଦୋକାନ ଥିଲା। ପିଲା ବେଳେ ମୋଦୀ ନିଜ ବାପାଙ୍କୁ ଷ୍ଟେସନରେ ଚା ବିକ୍ରିରେ ସାହାଯ୍ୟ କରୁଥିଲେ। ଗୁଜରାଟର ମେହସାଣା ଜିଲ୍ଲାରେ ସ୍ଥିତ ଏହି ଟାଉନ ପ୍ରଧାନମନ୍ତ୍ରୀଙ୍କ ଗୁହନଗର ଅଟେ। ପ୍ରଧାନମନ୍ତ୍ରୀ ଏସବୁ ପ୍ରକଳ୍ପର ଉଦଘାଟନ ଭର୍ଚୁଆଲ ମାଧ୍ୟମରେ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯେଉଁ ପ୍ରକଳ୍ପର ଉଦଘାଟନ କରିବେ ସେଥିରେ ପୁର୍ନବିକଶିତ ଗାନ୍ଧିନଗର ରେଲଓ୍ଵେ ଷ୍ଟେସନ ଉପରେ ନିର୍ମିତ ଏକ ନୂତନ ପଞ୍ଚ ତାରକା ହୋଟେଲ୍ ମଧ୍ୟ ସାମିଲ। ୩୧୮ କୋଠରୀ ବିଶିଷ୍ଟ ଏହି ବିଳାସମୟ ହୋଟେଲ ୭୯୦  କୋଟି ଟଙ୍କା ବ୍ୟୟରେ ନିର୍ମିତ। ହୋଟେଲ୍ ସାମ୍ନାରେ ଏକ ସମ୍ମିଳନୀ କେନ୍ଦ୍ର ସ୍ଥାପନା କରାଯାଇଛି। ଏହାର ନାମ ମହାତ୍ମା ମନ୍ଦିର ରଖାଯାଇଛି। ଏଠାରେ ବଡ ବଡ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ଯୋଗ ଦେଉଥିବା ଜାତୀୟ, ଅନ୍ତର୍ଜାତୀୟ ଅତିଥି ଏହି ହୋଟେଲରେ ରହି ପାରିବେ। ଅଧିକାରୀଙ୍କ ଅନୁଯାୟୀ, ଗାନ୍ଧିନଗର ରେଲଓ୍ଵେ ଷ୍ଟେସନ ଦେଶର ପ୍ରଥମ ଏମିତି ପୁର୍ନବିକଶିତ ଷ୍ଟେସନ, ଯେଉଁଠି ବିମାନ ବନ୍ଦର ପରି ସମସ୍ତ ସୁବିଧା ରହିଛି। ଏହି ଷ୍ଟେସନରେ ଦୁଇଟି ଏସ୍କେଲେଟର, ଦୁଇଟି ଏଲିଭେଟର ଓ ପ୍ଲାଟଫର୍ମ ଯୋଡିବା ପରି ଭୂତଳ ପାଦଚଲା ରାସ୍ତା ରହିଛି।

ରେଲଓ୍ଵେ ଅଧିକାରୀଙ୍କ ଅନୁଯାୟୀ, ଅନଲାଇନ କାର୍ଯ୍ୟକ୍ରମ ସମୟରେ ମୋଦୀ ଗାନ୍ଧିନଗର-ବରେଥା ମେମରୁ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ବଡନଗର ରେଲଓ୍ଵେ ଷ୍ଟେସନ ଉକ୍ତ ମାର୍ଗରେ ଥିବା ଷ୍ଟେସନ ମଧ୍ୟରୁ ପ୍ରମୁଖ ଷ୍ଟେସନ। ଏଥିସହ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ସାଇନ୍ସ ସିଟିରେ ତିନି ନୂତନ ଆକର୍ଷଣର ଉଦଘାଟନ କରିବେ। ଏଥିରେ ଆକ୍ଵାଟିକ ଗ୍ୟାଲେରୀ, ଏକ ରୋବୋଟିକ ଗ୍ୟାଲେରୀ ଏବଂ ଏକ ନେଚର ପାର୍କ ସାମିଲ।