fbpx

ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶର ଷ୍ଟ୍ରାଟେଜିକ ପେଟ୍ରାଲିୟମ ରିଜର୍ଭ (ଏସପିଆର) ଏଣିକି ପ୍ରାଇଭେଣ୍ଡ କମ୍ପାନୀ ହାତକୁ ଚାଲିଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶରେ ଗଚ୍ଛିତ ସମୁଦାୟ ଏସପିଆରର ଅଧା କ୍ଷମତା ଏଣିକି ପ୍ରାଇଭେଟ୍ କମ୍ପାନୀ ହାତରେ ରହିବ ବୋଲି ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେଇଛି । ତେବେ କମ୍ପାନୀମାନଙ୍କୁ ଏସପିଆରରର ଅଧା ଅଂଶ ଲିଜ୍ ସୂତ୍ରରେ ଦିଆଯିବ ବୋଲି କୁହାଯାଇଛି । ସଂପ୍ରତି ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତୈଳ ଆମଦାନୀ କରୁଛି । ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଓ ଉପଭୋକ୍ତା ଅଟେ । ତେବେ ଦକ୍ଷିଣ ଭାରତରେ ତିନୋଟି ସ୍ଥାନରେ ଏସପିଆର ନିର୍ମାଣ କରାଯାଉଛି, ଯେଉଁଠାରେ ୫୦ ଲକ୍ଷ ଟନ ପର୍ଯ୍ୟନ୍ତ ଅଶୋଧିତ ତୈଳ ମହଜୁଦ କରାଯାଇପାରିବ । କଠିନ ପରିସ୍ଥିତିରେ ଦେଶର ଆବଶ୍ୟକତାକୁ ଭରଣା କରିବା ଉଦ୍ଦେଶ୍ୟରେ ସରକାର ଏସପିଆର ନିର୍ମାଣ କରିଛନ୍ତି ।

ତେବେ ସୂଚନା ମୁତାବକ, କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁରରେ ଏସପିଆର ନିର୍ମାରଣ ପାଇଁ ଯୋଜନା କରୁଛନ୍ତି । ଏହାଦ୍ୱାରା ଜରୁରୀ ସମୟରେ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଉପଲବ୍ଧ ହେବ । ଚଳିତ ମାସରେ କ୍ୟାବିନେଟ ବୈଠକରେ ଦୁଇଟି ଏସପିଆର ନିର୍ମାଣ ପାଇଁ ସରକାର ୮ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ଦେଶରେ ଏସପିଆର ନିର୍ମାଣର ଦାୟିତ୍ୱ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ)କୁ ଦିଆଯିବା ସହ ଏହି କମ୍ପାନୀ ୧୦ ଲକ୍ଷ ଟନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.