ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ଭବ୍ୟ ରାମ ମନ୍ଦିର ୨୦୨୩ ଡିସେମ୍ବର ସୁ୍ଦ୍ଧା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯିବ । ଭାରତ ସମେତ ସମଗ୍ର ଦୁନିଆର ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରି ପାରିବେ । ରାମ ମନ୍ଦିର ଟ୍ରଷ୍ଟ ସୂତ୍ରରୁ ବୁଧବାର ଏହାର ସୂଚନା ଦିଆଯାଇଛି । ଏହା ପୂର୍ବରୁ ରାମ ମନ୍ଦିର ନିର୍ମାଣ ତଦାରଖ କରୁଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଥିଲା ଯେ, ମନ୍ଦିରର ମୁଖ୍ୟ ପରିସର ୨୦୨୩ ଶେଷ ଆଡକୁ ପ୍ରସ୍ତୁତ ହୋଇଯିବ ଏବଂ ଏହା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଖୋଲି ଦିଆଯିବ ।
ସୂଚନା ଅନୁଯାୟୀ, ମନ୍ଦିର ନିର୍ମାଣ ପୂରା ହେଉ କି ନହେଉ ଗର୍ଭଗୃହ ପ୍ରଥମେ ପ୍ରସ୍ତୁତ ହୋଇଯିବ । ୨୦୨୫ ବେଳକୁ ପୂରା ୬୭ ଏକର ଜମିରେ ମନ୍ଦିରର ନିର୍ମାଣ ସଂପୂର୍ଣ୍ଣ ହେବ । ଏଥିସହ ୧୧୦ ଏକର ଜମିରେ ପୂରା ମନ୍ଦିରର କମ୍ପେ୍ଲକ୍ସ ତିଆରି ହେବ । ରାମ ମନ୍ଦିର ନିର୍ମାଣରେ ୯୦୦ରୁ ୧୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ସୂଚନାଯୋଗ୍ୟ, ଗୁରୁବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭକୁ ଏକ ବର୍ଷ ପୂରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିବେ । କୁହାଯାଉଛି, ଏହି ଇଭେଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ସମ୍ବୋଧିତ କରି ପାରନ୍ତି । ଗତ ବର୍ଷ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ।