fbpx

ଏହି ୭ ଆତଙ୍କୀ ହାତରେ ଆଫଗାନିସ୍ତାନ ଭାର, ଜାଣନ୍ତୁ ତାଲିବାନୀଙ୍କୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଆତଙ୍କୀ ଅକ୍ତିଆର କରିନେଇଛନ୍ତି ଆଫଗାନକୁ । ସ୍ଥିତି ଏମିତି ହେଲା ଦେଶ ଛାଡ଼ି ପଳାୟନ କଲେ ରାଷ୍ଟ୍ରପତି ଅଶ୍ରଫ ଘନି । କାର୍ଯ୍ୟନିର୍ବାହୀ ରାଷ୍ଟ୍ରାଧ୍ୟକ୍ଷ ଭାବେ ଅମୁରୁଲ୍ଲା ସଲେହ ନିଜକୁ ଘୋଷଣା କରିବା ସହ ପଞ୍ଜଶିରା ଘାଟିରେ ରହୁଛନ୍ତି । ସେହି ପଞ୍ଜଶିରା ହିଁ ତାଲିବାନଙ୍କ ଅକ୍ତିଆରରେ ନାହିଁ । ତେବେ ତାଲିବାନୀ ନେତୃତ୍ୱକୁ ନେଇ ସଂଶୟ ଜାରି ରହିଛି । ଦେଶକୁ କବଜା କରିବା ପରେ ଆତଙ୍କୀମାନେ ଉଦାରବାଦୀ ଢାଞ୍ଚାରେ ନିଜକୁ ଉପସ୍ଥାପିତ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ତେବେ ତାଲିବାନୀଙ୍କ ମଧ୍ୟରେ ୭ ନେତୃତ୍ୱ ଏମିତି ରହିଛନ୍ତି, ଯେଉଁମାନେ ପୂରା ଆଫଗାନ ସମ୍ଭାଳିବା ଦାୟିତ୍ୱ ନେଇଛନ୍ତି । ତାଲିବାନର ବରିଷ୍ଠ ନେତୃତ୍ୱ ମଧ୍ୟରେ ଅନେକ ମୁଜାହିଦିନ୍ ରହିଛନ୍ତି, ଯେଉଁମାନଙ୍କୁ ପୂର୍ବରୁ ଆମେରିକା ଓ ସୋଭିଏତ ସଂଘ ବିରୋଧରେ ଲଢ଼ିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜାଣିବା ଆସନ୍ତୁ କିଏ ସେହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀମାନେ!

ହୈବତୁଲ୍ଲାହ ଅଖୁନ୍ଦଜାଦା (ସୁପ୍ରିମ୍ କମାଣ୍ଡର୍)

୧୯୬୧ରେ ଜନ୍ମିତ ଅଖୁନ୍ଦଜାଦା ହେଉଛି ତାଲିବାନର ତୃତୀୟ ସର୍ବୋଚ୍ଚ କମାଣ୍ଡର୍ । ସଂଗଠନରେ ସର୍ବୋଚ୍ଚ ପଦବୀ । ଆମେରିକା ପକ୍ଷରୁ ୨୦୧୬ରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ କମାଣ୍ଡରଙ୍କ ମୃତ୍ୟୁ ପରେ ଅଖୁନ୍ଦଜାଦାକୁ ଏହି ପଦବୀ ମିଳିଛି । ତେବେ ତାଲିବାନର ଶୀର୍ଷ ନେତା ହୋଇଯିବା ପରେ ଅଖୁନ୍ଦଜାଦାକୁ ସାର୍ବଜନୀନ ଭାବେ ଦେଖିବାକୁ ମିଳେନା । କେବଳ ତାର କିଛି ଫଟୋ ହିଁ ଉପଲବ୍ଧ ହେଉଛି । ଇଦ୍ ଉଲ୍-ଫିତର୍ ସମୟରେ ଗତ ମେ ମାସରେ ଅଖୁନ୍ଦଜାଦାର ସାର୍ବଜନୀନ ବୟାନ ପ୍ରକାଶ ପାଇଥିଲା ।

ଅବଦୁଲ୍ ଗନି ବରାଦର (ଡେପୁଟି ଲିଡର୍)

ତାଲିବାନର ଉପନେତା ତଥା ସାର୍ବଜନୀକ ମୁଖ୍ୟ ଚେହେରା ଅବଦୁଲ୍ ଗନି ବରାଦର । ଯିଏକି ଆଗକୁ ଦଳ ପକ୍ଷରୁ ନେତୃତ୍ୱ ନେବ ବୋଲି ଚର୍ଚ୍ଚା ହେଉଛି । ବରାଦର ୨୦୧୦ରେ ଆମେରିକୀୟ ଇଣ୍ଟେଲିଜେନ୍ସି ହାତରେ ପାକିସ୍ତାନର କରାଚିରେ ଧରାପଡ଼ିଥିଲା । ପରେ ଟ୍ରମ୍ପ ସରକାର ସମୟରେ ଶାନ୍ତି ବାର୍ତ୍ତା ନେଇ ୨୦୧୮ରେ ତାକୁ ମୁକୁଳାଇ ଦିଆଯାଇଥିଲା । ଦୋହା, କତାର ଆଦି ସ୍ଥାନରେ ବରାଦର ରହୁଥିବାବେଳେ ଗତ ମଙ୍ଗଳବାର ସେ କନ୍ଧାର ଫେରିଥିବା ଜଣାପଡ଼ିଛି ।

ସିରାଜୁଦ୍ଦିନ୍ ହକ୍କାନି (ହକ୍କାନି ନେଟୱର୍କ ନେତା)

ଆମେରିକା ଦ୍ୱାରା ନାମିତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱର୍କର ନେତା ସିରାୁଦ୍ଦିନ୍ । ୨୦୧୬ରେ ଏହି ସଂଗଠନ ଧ୍ୱଂସ ପାଇଯିବା ପରେ ସିରାଜୁଦ୍ଦିନ ଦ୍ୱିତୀୟ ଉପ ତାଲିବାନ ନେତା ବନିଗଲା । ପାକିସ୍ତାନରୁ ଆଫଗାନିସ୍ତାନ ତାର ନିୟମିତ ଯିବାଆସିବା ରହିଥିବା କୁହାଯାଉଛି । ଦୁଇ ଦେଶରେ ସେନା ବାହିନୀ ଓ ଆର୍ଥିକ କାରବାର ଦେଖାଶୁଣା କାମ ସିରାଜୁଦ୍ଦିନର ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ମୋହମ୍ମଦ ୟାକୁବ୍ (ସଂସ୍ଥାପକର ପୁଅ)

ତାଲିବାନ ସଂସ୍ଥାପକ ମୁଲ୍ଲା ଉମରର ପୁଅ ହେଉଛି ୟାକୁବ୍ । ତାଲିବାନୀ ସମୂହର ଶୀର୍ଷ ପଦବୀ ପାଇଁ ସେ ହକଦାର ବୋଲି ଚର୍ଚ୍ଚା ମଧ୍ୟ ହୋଇଆସିଛି । ପାକିସ୍ତାନସ୍ଥିତ ଏକ ମଦ୍ରାସାରୁ ଶିକ୍ଷା ପାଇଥିବା ୟାକୁବ୍ ସମ୍ପ୍ରତି ସିରାଜୁଦ୍ଦିନ ସହ ମିଶି କାମ କରୁଥିବା କୁହାଯାଉଛି ।

ଅବଦୁଲ୍ ହକିମ୍ ହକ୍କାନି (ଧାର୍ମିକ ପରିଷଦ ପ୍ରମୁଖ)

ଅବଦୁଲ୍ ହକିମ୍ ହକ୍କାନି ତାଲିବାନୀଙ୍କ ଟପ୍ କମାଣ୍ଡର ଅଖୁନ୍ଦଜାଦା ସହ ସମାନ ମାନ୍ୟତା ପାଇଥାଏ । ନିଜ ଧାର୍ମିକ ପରିଷଦର ପ୍ରମୁଖ ରହିଥିବା ହକିମ୍ ତାଲିବାନୀ ବାର୍ତ୍ତା ଟିମ୍ ପାଇଁ ନେତୃତ୍ୱ ନେଉଛି ।

ଶେର୍ ମୋହମ୍ମଦ ଅବାସ୍ ଷ୍ଟାନିକଜଇ

ଷ୍ଟାନିକଜଇ ଅନ୍ୟ ତାଲିବାନୀ ନେତାଙ୍କ ଭଳି ନୁହେଁ । ଅନର୍ଗଳ ଇଂରାଜୀ କହୁଥିବା ଏହି ତାଲିବାନୀ ନେତା ପୂର୍ବଥର ଶାସନକୁ ଆସିବା ସମୟରେ ଉପ-ବୈଦେଶିକ ମନ୍ତ୍ରୀ ଭାବରେ ବିଶ୍ୱର ବହୁ ଦେଶ ଭ୍ରମଣ କରିଛି । ୧୯୯୬ରେ ଆମେରିକାର କ୍ଲିଣ୍ଟନ୍ ସରକାରଙ୍କୁ ମନାଇବାକୁ ଷ୍ଟାନିକଜଇ ୱାଶିଂଟନ ଯାଇଥିଲ କିନ୍ତୁ ଲକ୍ଷ୍ୟରେ ଅସଫଳ ରହିଥିଲା ।

ଜବିହୁଲ୍ଲାହ ମୁଜାହିଦ (ପ୍ରମୁଖ ପ୍ରବକ୍ତା)

ମୁଜାହିଦ ନିକଟରେ ତାଲିବାନ ପକ୍ଷରୁ ପ୍ରଥମ ପ୍ରେସ୍ କନଫରେନ୍ସ କାବୁଲରେ କରିଥିଲା । ଆମେରିକା ସହ ୨୦ ବର୍ଷର ଯୁଦ୍ଧକାଳ ଭିତରେ ଗଣମାଧ୍ୟମ ସହ ମୁଜାହିଦ କେବଳ ଫୋନ୍ରେ କଥାବର୍ତ୍ତା ହେଉଥିଲା । ଗତ ୧୭ ଅଗଷ୍ଟରେ ସାର୍ବଜନିକ ଭାବେ ସେ ଦେଖାଦେଇଥିଲା ।

Get real time updates directly on you device, subscribe now.