fbpx

ଢେଙ୍କାନାଳ ତହସିଲରେ ଜମି କେଳେଙ୍କାରୀ: ଜମି ମାଫିଆ ଓ ଅତିରିକ୍ତ ତହସିଲଦାର ଗିରଫ, ୩ ଅଟକ

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ଜମି ମାଫିଆମାନେ ଖୁବ୍‌ ସକ୍ରିୟ ଥିବାବେଳେ ଏବେ ସେମାନଙ୍କ ଅକ୍ତିଆରରେ ସଂପୃକ୍ତ ଅଂଚଳର ତହସିଲ ଅଫିସ୍‌ ଗୁଡିକ ଅଛି । ଏହି ମାଫିଆଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ତହସିଲ ଅଫିସ୍‌ର କର୍ମଚାରୀମାନେ ଆଗପଛ ବିଚାର ନକରି କଳାକୁ ଧଳା କରିବାରେ ମାହିର୍‌ ଥିବା ଘଟଣା ଅନେକ ସମୟରେ ଲୋକଲୋଚନକୁ ଆସିଥିଲେ ମଧ୍ୟ ଉପରିସ୍ଥ ବରିଷ୍ଠ ଅଧିକାରୀମାନେ ଏହି ମାମଲାଗୁଡିକୁ ତୁଚ୍ଛ ମନେ କରିଥାନ୍ତି । କାରଣ ତହସିଲ୍‌ କେଳାଙ୍କାରୀରୁ ଆମ୍‌ଦାନୀ ହେଉଥିବା ମୋଟା ଅଙ୍କର ମାଲ୍‌ ଉପରିସ୍ଥ ଅଧିକାରୀଙ୍କ ପକେଟ୍‌କୁ ଯାଏ । ଯାହାଫଳରେ କି, ଜମି ମାଫିଆମାନେ ଏ ନେଇ ଖୁବ୍ ସକ୍ରିୟ ହୋଇ ତତ୍ପରତା ଦେଖାଇଥାନ୍ତି । ଏହିପରି ଢେଙ୍କାନାଳ ତହସିଲ୍‌ରେ ବହୁ ପୂର୍ବରୁ ଅନେକ ଗୁଡିଏ ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ସଂପୃକ୍ତ ତହସିଲ କର୍ମଚାରୀମାନେ ଜମି ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇଦେଇ ଅନ୍ୟମାନଙ୍କ କଥାକୁ ହେୟ ମନେ କରିଥାଆନ୍ତି ।

ଢେଙ୍କାନାଳ ତହସିଲ୍‌ରେ ଥିବା ଗାତୁଆମୂଷାମାନେ ବହୁ ପୂର୍ବରୁ ବିଭିନ୍ନ ଜାଗାର କିସମ ବଦଳାଇ ଯେଉଁ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି ସେଥିରେ ସେମାନଙ୍କର ବାସସ୍ଥାନଗୁଡିକର ନକ୍ସା ମଧ୍ୟ ପରିବର୍ତନ ହୋଇଯାଇଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ତହସିଲ୍‌ରେ ଏହି ଜମି ମାଫିଆମାନଙ୍କ ଅବାଧ ରାଜ୍‌ ଚାଲିଥିବା ବେଳେ ସହରର ଜଣେ ନାମ୍‌ଜାଦା ଜମି ମାଫିଆ ଏହି କିଛି ଦିନ ପୂର୍ବେ ଢେଙ୍କାନାଳ ତହସିଲର ସାନଷାଠିଏବାଟିଆ ମୌଜାରେ ଚଂଚକତା କରି ତହସିଲ୍‌ କର୍ମଚାରୀଙ୍କ ପ୍ରୋତ୍ସାହନରେ ଜଳାଶୟ କିସମକୁ ତଇଳାରେ ପରିବର୍ତନ କରାଇ ଜମି ମାଫିଆଙ୍କ ହାତକୁ ଟେକି ଦେଇଥିଲେ। ଏହି ଘଟଣା ମଧ୍ୟ ସାଧାରଣରେ ଖୁବ୍‌ ଚର୍ଚ୍ଚାର ପରିଧିକୁ ଆସିଥିଲା । ସଂପୃକ୍ତ ଜମି ମାଫିଆ ଅର୍ଥ ବଳରେ କେତେକଙ୍କ ମୁହଁକୁ ମଧ୍ୟ ବନ୍ଦ କରିଦେଇଥିଲା । ଏହି ଘଟଣା ଜଣାପଡିବା ପରେ ତକ୍ରାଳୀନ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାର ତଦନ୍ତ କରିବା ପାଇଁ ତକ୍ରାଳୀନ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ପତ୍ର ସଂଖ୍ୟା -୪୪୫୫/୫ ମଇ ୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତକ୍ରାଳୀନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାର ତଦନ୍ତ ନକରିଥିବାରୁ ପୁନଶ୍ଚ ପତ୍ର ସଂ- ୮୦୨୪/୭.୮.୨୦୨୦ରେ ରିମାଇଣ୍ଡର ଚିଠି କରି ୧୫.୦୯.୨୦ ସୁଦ୍ଧା ସମସ୍ତ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାକୁ ହେୟ ଜ୍ଞାନ ମନେକରି ମନ୍ଦ ଉଦ୍ଦେଶ୍ୟ ରଖି ନାଲି ଫିତାତଳେ ବାନ୍ଧି ଚାପିଦେଇଥିଲେ । ଏ ସଂକ୍ରାନ୍ତରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜୁଲାଇ ମାସ ୭ ତାରିଖରେ ଜିଲ୍ଲା ସବ୍‌ରେଜିଷ୍ଟ୍ରାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଅନୁସନ୍ଧାନ କରିଥିଲେ । ସାନଷାଠିଏବାଟିଆ ମୌଜର ପ୍ଲଟ୍‌ ନଂ- ୫୨୨, ଖାତା ନଂ-୩୮୭/୧୮୯୬ ରେ ଥିବା ଜାଗା ଜଳାଶୟ-୨ରେ ରହିଛି ଏବଂ ଚଂଚକତା କରି ଏହାର କିସମ ପରିବର୍ତନ କରାଯାଇଥିବା ଜଣାପଡିଥିଲା ।

ଏହି ମାମଲା ତଦନ୍ତାଧିନ ଥିବାରୁ ଏହାକୁ ବିକ୍ରି ଖର୍ଦ୍ଦି ନ କରିବା ପାଇଁ ତହସିଲଦାର ସୂଚନା ଦେଇଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାରୁ ଉଚ୍ଚ ସ୍ତରରୁ ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହାର ତଦନ୍ତ କରିବା ସହ ଏ ମାମଲାରେ ଦୁର୍ନୀତି ନିବାରଣ ବିଭାଗକୁ ଅବଗତ କରାଇ ଦୋଷୀ ତହସିଲ୍‌ ଅଧିକାରୀ ଓ କର୍ମଚାରୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଟାଉନ୍‌ ଥାନା ପକ୍ଷରୁ ଚଢାଉ କରାଯାଇ ଏହି ମାମଲାରେ ୧୧ ଜଣ ସଂପୃକ୍ତ ଥିବାର ଜଣାପଡିଥିଲା । ତନ୍ମଧ୍ୟରୁ ଅନ୍ୟମାନଙ୍କ ସଂପର୍କରେ ତଦନ୍ତ ଚାଲୁ ରହିଥିବାବେଳେ ପ୍ରାଥମିକ ସ୍ତରରେ ଅଟକ ଥିବା ୫ଜଣଙ୍କ ମଧ୍ୟରୁ ଜମି ମାଫିଆ ନରେନ୍ଦ୍ର ବେହେରା ଓ ପୂର୍ବତନ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବାବେଳେ ଅନ୍ୟ ତିନିଜଣ ବର୍ତମାନସୁଦ୍ଧା ଅଟକ ରହିଛନ୍ତି ବୋଲି ସଦର ଏସ୍‌ଡି ିଓଙ୍କ ଠାରୁ ସୂଚନା ମିଳିଛି । ଏହି ଘଟଣାରେ ବହୁ ଉଚ୍ଚ ପଦାଧିକାରୀ ସମ୍ପୃକ୍ତ ଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଥିବାବେଳେ ଜିଲ୍ଲାପାଳ ଶ୍ରୀ ସେଠୀ ଘଟଣାର ପୁଙ୍ଖାନୁୁଙ୍ଖ ତଦନ୍ତ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିବା ବିଷୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.