fbpx

ଏଣିକି Swiggy, Zomatoରୁ ଖାଦ୍ୟ ମଗାଇବା ହେବ ମହଙ୍ଗା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ମଗାଉଥିବା ଲୋକଙ୍କୁ ଝଟକା ଲାଗିପାରେ । ଏହା ଉପରେ ଜିଏସଟି କାଉନସିଲ କମିଟି ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି । ଫୁଡ ଡେଲିଭରି ଆପଗୁଡ଼ିକୁ ଅତି କମରେ ୫ ପ୍ରତିଶତ ଜିଏସଟି ଅଧୀନକୁ ଆଣିବାକୁ କମିଟି ତରଫରୁ ସୁପାରିଶ କରାଯାଇଛି । ଫଳରେ ସ୍ୱିଗି, ଜୋମାଟୋରୁ ଖାଦ୍ୟ ମଗାଇବା ମହଙ୍ଗା ସାବ୍ୟସ୍ତ ହେବ । ଏହା ଉପରେ ଆଲୋଚନା ପାଇଁ ଆସନ୍ତା ଶୁକ୍ରବାର ଜିଏସଟି କାଉନସିଲ ମିଟିଂ ଅନୁଷ୍ଠିତ ହେବ । ତେବେ ଏହି ମିଟିଂ ଉତ୍ତରପ୍ରଦେଶର ରାଜଧାନୀରେ ହେବାକୁ ଥିବାବେଳେ ଏହା ମୁଖ୍ୟ ଏଜେଣ୍ଡା ରହିବ । କୁହାଯାଉଛି ଯେ, ସାଂପ୍ରତିକ ବ୍ୟବସ୍ଥା ଯୋଗୁଁ ସରକାର ୨ କୋଟି ଟଙ୍କାର ଟ୍ୟାକ୍ସ କ୍ଷତି ସହୁଛନ୍ତି । ଖାଦ୍ୟ ବିତରଣକାରୀମାନଙ୍କୁ ଇ-କମର୍ସ ଅପରେଟର ଭାବେ ବ୍ୟବହାର କରିବାକୁ ଜିଏସଟି ପରିଷଦର ଫିଟମେଣ୍ଟ ପ୍ୟାନେଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଆସନ୍ତା ୧୭ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ମଧ୍ୟ ସାମିଲ ରହିବେ । ଗତ ଜୁନ ୧୨ରେ ଜିଏସଟି ପରିଷଦର ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଉପରେ ଆଲୋଚନା ହେବା ସହ କୋଭିଡ୍-୧୯ ସମ୍ବନ୍ଧୀୟ କିଛି ସାମଗ୍ରୀର ମୂଲ୍ୟ ଉପରେ ସମୀକ୍ଷା କରାଯିବ । ଗତ ମାସରେ ଜିଏସଟି ସଂଗ୍ରହ ୧.୧୨ ଲକ୍ଷ କୋଟିରୁ ଅଧିକ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କୁହାଯାଇଥିଲା ।

Get real time updates directly on you device, subscribe now.