fbpx

ବାରହା ମାଂସ ସହ ବନ୍ଧୁକ ଜବତ, ୪ ଗିରଫ

ଚଢ଼ଉ ବେଳେ ଶିକାରୀର ଘରୁ ଜବତ ହେଲା ୩୦ ହଜାର ଟଙ୍କାର ଶାଗୁଆନ ପଟା

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ସଦର ରେଞ୍ଜ ଅଧୀନସ୍ଥ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍‌ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର ବିଶ୍ୱାଳ(୬୫), ଚୈତନ୍ୟ ଶବର(୫୫), ରାମଲାଲ ଶବର(୫୦) ଓ ସଂକିର୍ତ୍ତନ ଶବର(୬୦) ।

ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ସଦର ରେଞ୍ଜ ଅଧୀନସ୍ଥ ଟାନୱଟ ଗାଁରେ ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା । ରାତିରେ ରେଞ୍ଜର ବିନିତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ୍ ଟାନୱାଟ ଗାଁରେ ଚଢଉ କରି ୩ କେଜି ବାରହା ମାଂସ, ଦେଶୀ ବନ୍ଧୁକ, ଟାଙ୍ଗିଆ, ନିକିତିକୁ ଜବତ କରିଥିଲା । ଗୁରୁବାର ସକାଳେ ପୁଣି ବନ ବିଭାଗ ଟିମ ଗାଁରେ ଚଢଉ କରିଥିଲେ । ବନ ବିଭାଗର ଅଧିକାରୀମାନେ ରେଞ୍ଜ ଅଫିସରେ ଦିନ ତମାମ ଶିକାରୀମାନଙ୍କୁ ନେଇ ବନ୍ୟଜନ୍ତୁ ଶିକାର ଉପରେ ଜେରା କରିଥିଲେ । ଏଥିରେ ଆହୁରି ଶିକାରୀ ମାନଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । ସେହିପରି ଏହି ଚଢଉ ସମୟରେ ସୁରେଶଙ୍କ ଘରୁ ପ୍ରାୟ ୩୦ ହଜାର ଟଙ୍କାର ଶାଗୁଆନ ପଟାକୁ ଜବତ କରିଥିଲେ । ଚଢ଼ଉ ସମୟରେ ଫରେଷ୍ଟର ଚୁଡାନାଥ ସରାଫ, ପରମାନନ୍ଦ ତାଣ୍ଡି, ଦୀପ୍ତିମାନ ପଣ୍ଡା, ସଦନ ମାଝି, ଫରେଷ୍ଟଗାର୍ଡ ପ୍ରେମ ତାଣ୍ଡି, ସଚ୍ଚିଦାନନ୍ଦ ସାହୁ, ସୂଚିସ୍ମିତା ମୁଣ୍ଡା, ହେମନ୍ତ ଦୁର୍ଗା ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.