fbpx

ଆଜି ପ୍ରଥମ କ୍ୱାଲିଫାୟର: ଅନୁଭବୀ ଚେନ୍ନାଇ ସାମ୍ନାରେ ଯୁବ ଦିଲ୍ଲୀ କ୍ୟାପିଟାଲ୍ସ, ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ XI

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଲିଗ୍ ପର୍ଯ୍ୟାୟ ମୁକାବିଲା ପୂରା ହୋଇ ସାରିଥିବାବ ବେଳେ ଆଜିଠୁ ଖେଳାଯିବ ନକଆଉଟ୍ ଷ୍ଟେଜ୍ । ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଚାରୋଟି ଦଳ ମଧ୍ୟରେ ହେବ ଏବେ କଡା ଟକ୍କର । ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ମୁହାଁମୁହିଁ ହେବେ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ । ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲାର ବିଜେତା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଖେଳିବ ।

ଆଜିର ମୁକାବିଲାରେ ଗୋଟିଏ ପଟେ ଅନୁଭବୀ ଏବଂ ବୟସ୍କ ଖେଳାଳିଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ରହିଥିବା ବେଳେ ଅନ୍ୟପଟେ ରହିଛି ଯୁବ ଅଧିନାୟକ ଏବଂ ଯୁବ ଖେଳାଳିଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳକୁ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ତିନି ଥର ଚାମ୍ପିଅନ ହୋଇଥିବା ବେଳେ ପ୍ଲେଅଫ୍ ଖେଳିବାର ଅନୁଭବ ଦଳ ପାଖରେ ଯଥେଷ୍ଟ ରହିଛି । ଅନ୍ୟପଟେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ଟାଇଟଲ୍ ସନ୍ଧାନରେ ରହିଛି ।

ଦୁଇ ଦଳର ଶକ୍ତି

ଲିଗର ଅନୁଭବ ଉପରେ ନଜର ପକାଇଲେ ଆଜିର ମ୍ୟାଚରେ ଚେନ୍ନାଇର ପଲ୍ଲା ଭାରି ରହିଛି । କାରଣ ଦଳ ଆଠ ଥର ଫାଇନାଲରେ ପହଞ୍ଚି ଥିବା ବେଳେ ସେଥିରୁ ତିନି ଥର ବିଜୟ ହାସଲ କରିଛି । ମାତ୍ର ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଗତ ଭୁଲରୁ ଶିଖି ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରି ଆସୁଛି । ଚେନ୍ନାଇର ଶକ୍ତି ଏହାର ବ୍ୟାଟିଂ ଉପରେ ରହିଥିବା ବେଳେ ଦିଲ୍ଲୀର ବୋଲିଂ ଲାଇନ ଅଫ ବେଶ ମଜବୁତ ରହିଛି ।

ଲୟରେ ଅଛନ୍ତି ଓପନିଂ ଯୋଡି

ଦିଲ୍ଲୀର ଶିଖର ଧାୱନ ଓ ପୃଥ୍ୱୀ ଶ ଏବଂ ଚେନ୍ନାଇର ଫାଫ ଡୁପ୍ଲେସିସ୍ ଓ ଋତୁରାଜ ଗାଏକୱାଡଙ୍କ ଓପନିଂ ଯୋଡି ଫର୍ମରେ ଅଛନ୍ତି । ଉଭୟ ଦଳର ଓପନିଂ ଯୋଡି ନିଜ ନିଜର ଦଳକୁ ଭଲ ଆରମ୍ଭ ଦେଉଛନ୍ତି । ଆଜିର ହାଇ ଭୋଲଟେଜ ମୁକାବିଲାରେ ଦୁଇ ଦଳର ବ୍ୟାଟିଂ ଏବଂ ବୋଲିଂକୁ ନେଇ କଡା ମୁକାବିଲା ଦେଖିବାକୁ ମିଳିପାରେ ।

ଗତ ପାଞ୍ଚ ମ୍ୟାଚରେ ଦିଲ୍ଲୀର ଦବଦବା

ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ଗତ ପାଞ୍ଚ ମୁକାବିଲାରେ ପନ୍ତ ସେନାର ପଲ୍ଲା ଭାରି ରହିଛି । ଦିଲ୍ଲୀ ଲଗାତାର ଚାରି ମୁକାବିଲାରେ ଚେନ୍ନାଇକୁ ମାତ୍ ଦେଇଛି । ଏହି ସିଜିନର ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦୁଇଟି ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ପରାସ୍ତ କରିଛି ।

ଦୁଇ ଦଳର ସମ୍ଭାବିତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍ସ

ଫାଫ ଡୁପ୍ଲେସିସ୍, ଋତୁରାଜ ଗାଏକୱାଡ, ଅମ୍ବତି ରାୟଡୁ, ସୁରେଶ ରୈନା, ମୋଇନ ଅଲ୍ଲୀ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଜୋସ ହେଜେଲଉଡ ।

ଦିଲ୍ଲୀ କ୍ୟାପିଟାଲ୍ସ

ଶିଖର ଧାୱନ, ପୃଥ୍ୱୀ ଶ, ଶ୍ରେୟସ ଆୟର, ଋଷଭ ପନ୍ତ, ଷ୍ଟିଭ୍ ସ୍ମିଥ୍, ଶିମରନ ହେଟମାୟର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟଲେ, ଅବେଶ ଖାନ, ଏନରିକ ନୋର୍ତ୍ତଜେ ଓ କାଗିସୋ ରାବଡା ।

Get real time updates directly on you device, subscribe now.