fbpx

ମମିତା ମେହେର ହତ୍ୟା ମାମଲା; ମନ୍ତ୍ରୀଙ୍କ ସୁପାରିଶରେ ଟଙ୍କା ମିଳୁଥିବା ନେଇ କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି । ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି ।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ । ୨୦୧୩ ମସିହାରେ +୨ ପରିକ୍ଷାରେ କେମେଷ୍ଟ୍ରି ପେପରର ପ୍ରଶ୍ନପତ୍ର ଲିକ୍‌ରେ କେନ୍ଦ୍ରସ୍ଥଳ ଥିଲା । ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ୟ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି । ଗୋଟି ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ । ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.