fbpx

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ପ୍ରଥମ ସେମି ଫାଇନାଲ୍‌ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ୱିଲିୟମସନ ବାହିନୀ

ଅବୁଧାବି: ଆଜି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ସୁଯୋଗରେ ଇଂଲଣ୍ଡ ବିରୋଧଟ୍ଟା ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେବା ପାଇଁ ନ୍ୟୁଜିଲାଣ୍ଡ ସୁଯୋଗ ଅପେକ୍ଷାରେ ରହିଛି । ତେଣୁ ସଂପ୍ରତି ଅତି ଭଲ ଫର୍ମରେ ଥିବା ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ । କାରଣ ସୁପର ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ୪ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଉତ୍ତମ ନେଟ ରନରେଟରେ ଗ୍ରୁପ ଏ’ ଟପ୍ପର ହୋଇଥିବା ବେଳେ ଗ୍ରୁପ୍ ବି’ରେ ନ୍ୟୁଜିଲାଣ୍ଡ ରନର୍ସ ଅପ୍‌ ହୋଇଥିଲା । ତେବେ ଚଳିତ ବିଶ୍ୱକପରେ ଉଭୟ ଦଳର ପ୍ରଦର୍ଶନ ଭଲ ରହିଛି । ସୁପର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିବା ବେଳେ ଇଂଲଣ୍ଡ ଏହି ପର୍ଯ୍ୟାୟର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ମାତ୍ର ଅବଶିଷ୍ଟ ମ୍ୟାଚରେ ଉଭୟ ଦଳର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।

ନ୍ୟୁଜିଲାଣ୍ଡ କ୍ରିକେଟ ଦଳ କୋଚ ଗ୍ୟାରି ଷ୍ଟିଡ୍‌ କହିଛନ୍ତି ଯେ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡକୁ କିପରି ସଫଳତାର ସହ ମୁକାବିଲା କରିବୁ ସେହି ଯୋଜନା ଭିତରେ ଆମେ ରହିଛୁ । ମାତ୍ର ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ନିକଟରୁ ପରାଜୟ ନେଇ ବର୍ତ୍ତମାନ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଦୁଇ ବର୍ଷ ତଳର ସେହି ମ୍ୟାଚ ଫଳାଫଳ କଥା ଆମେ ଭୁଲି ଯାଇଛୁ । ବର୍ତ୍ତମାନ ଆମର ଗୋଟିଏ ଚିନ୍ତା ହେଉଛି ସେମି ମୁକାବିଲାରେ ବିଜୟ । ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ । ତେଣୁ ଏହି ମ୍ୟାଚରେ ସଫଳ ହେବା ନେଇ ରଣନୀତି ପ୍ରସ୍ତୁତ ଉପରେ ଆମେ ଅଧିକ ଧ୍ୟାନ ଦେଉଛୁ । ଦଳର ସମସ୍ତ ଖେଳାଳି ସୁସ୍ଥ ମାନସିକତା ମଧ୍ୟରେ ଅଛନ୍ତି । ସୁପର ପର୍ଯ୍ୟାୟରେ ଅତି ପ୍ରଶଂସନୀୟ ପ୍ରଦର୍ଶନ କରି ଆମେ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳର ସବୁ ଖେଳାଳିଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି । ତେବେ ଏହି ସଫଳତା ବଜାୟ ରଖିବା ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କୋଚ ଷ୍ଟିଡ୍‌ କହିଛନ୍ତି ।

ଇଂଲଣ୍ଡ: ଜୋସ ବଟଲର, ଜନି ବେୟାରଷ୍ଟୋ, ଦାୱିତ ମଲାନ, ଇୟନ ମୋର୍ଗାନ(ଅଧିନାୟକ), ଲାଇମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ସାମ ବିଲିଙ୍ଗ୍‌ସ/ଡେଭିଡ୍‌ ୱିଲି, କ୍ରିସ ୱକ୍ସ, କ୍ରିସ୍‌ ଜୋର୍ଡାନ, ଆଦିଲ ରସିଦ, ମାର୍କ ଉଡ୍‌ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପତିଲ, ଡାରିଲ ମିଚେଲ, କେନ ୱିଲିୟମସନ(ଅଧିନାୟକ), ଡେଭନ କନୱେ, ଗ୍ଲେନ ଫିଲିପ୍ସ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଆଡାମ ମିଲନେ, ଟିମ୍‌ ସାଉଦି, ଆଇସ ସୋଦ୍ଧି, ଟ୍ରେଣ୍ଟ ବୋଲ୍ଟ ।

Get real time updates directly on you device, subscribe now.