fbpx

ଏଣିକି ରିସର୍ଚ୍ଚ ପାଇଁ ଅଧ୍ୟାପକଙ୍କୁ ମିଳିବ ୭ ଲକ୍ଷ ଟଙ୍କା, ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରିସର୍ଚ୍ଚ ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ଏଥିପାଇଁ ଯୁବ ଅଧ୍ୟାପକ ଓ ପିଏଚଡି ପଢ଼ୁଥିବା ଗବେଷକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଯୁବ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଉଥିଲା । ଏଣିକି ଏହି ଫଣ୍ଡ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଜଣେ ଅଧ୍ୟାପକ କୌଣସି ପ୍ରତିଷ୍ଠିତ ପତ୍ରିକା (ଜର୍ଣ୍ଣାଲ)ରେ ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରିବାକୁ ଚାହିଁଲେ ବିଭାଗ ପକ୍ଷରୁ ସହାୟତା କରାଯିବ । ପ୍ରତ୍ୟେକ ବର୍ଷ ମନୋନୀତ ଗବେଷକଙ୍କ ସଂଖ୍ୟା ବୃଦ୍ଧି କରାଯିବା ଫଳରେ ଗବେଷଣା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ବିଭାଗୀୟ ଶାସନ ସଚିବ ଶାଶ୍ୱତ ମିଶ୍ର । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜାରେ ବର୍ତ୍ତମାନ ରାଜ୍ୟର ୪୦ ଜଣ ଅଧ୍ୟାପକଙ୍କୁ ୫ ଲକ୍ଷ ଅର୍ଥରାଶି ଦିଆଯାଉଛି । ୨୦୧୯ରେ ଏଥିପାଇଁ ୯୦ ଜଣ ଆବେଦନ କରିଥିବା ବେଳେ ୨୦୨୦ରେ ଏହା ୧୬୬କୁ ବୃଦ୍ଧି ପାଇଛି । ତେଣୁ ଗବେଷଣା ପ୍ରତି ଆଗ୍ରହ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ୨୦୨୧-୨୨ରେ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, କ୍ରୀଡ଼ା, ସଙ୍ଗୀତ, ଅଭିନୟ ଓ ତର୍କ ଆଦିର ଆୟୋଜନ କରାଯିବ । ପ୍ରତ୍ୟେକ ବର୍ଷ ୩ଟି ବିଶ୍ୱବିଦ୍ୟାଳୟକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବା ସହ ଉଚ୍ଚଶିକ୍ଷା ବିଭାଗ ଏଥି ସକାଶେ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.