fbpx

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ: ଅପରାହ୍ନରେ ଆଗତ ହେବ ଅତିରିକ୍ତ ବଜେଟ୍‌

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍‌ ବୁଧବାର ଅପରାହ୍ନ ୫ଟା ସମୟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ ହେବ । ଅପରପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନ କରିବା ପାଇଁ ସଭ୍ୟମାନଙ୍କୁ କୁହାଯାଇଛି । ନ ମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଚାଲିବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ସେମାନଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି ।

ସେହିପରି ସୁରକ୍ଷା ଦୃଷ୍ଟିରୁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିବେଶନ ପୂର୍ବରୁ ମଙ୍ଗଳବାର ୩ ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ଦଳର ରଣନୀତି ପ୍ରସ୍ତୁତ କରାଯାଇଛି । ବିରୋଧୀ ଦଳ ବିର୍ଯ୍ୟସ୍ତ ଆଇନ୍‌ ଶୃଙ୍ଖଳା, ମମିତା ମେହେର ହତ୍ୟାକାଣ୍ଡ, ମହିଳା ବିରୋଧୀ ଅପରାଧ ବୃଦ୍ଧି, ମଣ୍ଡି ଅବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବେ । ଅପରପକ୍ଷରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା ଓ ଦରଦାମ୍‌ ବୃଦ୍ଧିକୁ ଢାଲ କରିବ । ଏଥର ମଧ୍ୟ ୨ଟି ପର୍ଯ୍ୟାୟରେ ଦିନକୁ ୫ ଘଣ୍ଟା ଗୃହର ବୈଠକ ବସିବ । ଡିସେମ୍ବର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଏବଂ ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍‌ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗୃହର ପ୍ରାରମ୍ଭିକ ଦିବସରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ଗୃହ ସେହି ଦିନ ପାଇଁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ ।ଅପରାହ୍ନ ୫ଟା ସମୟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ ହେବ ।

ତେବେ ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ପୋଲିସ ମହାନିର୍ଦ୍ଦେଶକ ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭୟଙ୍କ ସମୀକ୍ଷା ପରେ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନ ସମୟରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥିସହ ୬ ଜଣ ଅତିରିକ୍ତ ଏସ୍‌ପି ୧୧ ଜଣ ଏସିପି ୧୩ ଜଣ ଇନ୍ସପେକ୍ଟର ଓ ୬୨ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ । ବିକ୍ଷୋଭ ସ୍ଥଳ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକ୍ଷୋଭକାରୀଙ୍କ ଉପରେ ନଜର ରଖିବାକୁ ୫ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ।

ସେହିଭଳି ବିଧାନସଭାର ସବୁ ଗେଟ୍‌ ଉପରେ ମଧ୍ୟ କଡା ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଘଟଣା ଘଟୁଥିବାରୁ ଏହାକୁ ଏଡାଇବା ପାଇଁ ସବୁ ଜିଲ୍ଲାର ଏସ୍‌ପିଙ୍କ ସହ ଡିଜିି ଆଲୋଚନା କରିଥିବା ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । ଯଦି କେହି ବିଧାନିଭା ଆଗକୁ ଆସି ଆତ୍ମାହୂତି ଉଦ୍ୟମ କରିବାକୁ ଯୋଜନା କରୁଥାନ୍ତି ତେବେ ସେମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିବେଶନ ସମୟରେ ବିଧାନସଭା ୪ ପାଖରେ ଥିବା ସମସ୍ତ ରାସ୍ତା ଉପରେ କଟକଣା ମଧ୍ୟ ଜାରୀ କରାଯାଇଛି । ମୋଟାମୋଟି ଅଧିବେଶନ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ପୋଲିସ କଡା ନଜର ରଖିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଅପରାହ୍ନରେ ଶାସକ ବିଜୁ ଜନତା ଦଳର ମଧ୍ୟ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଚଳିତ ବିଧାନସଭାରେ ବିଜେଡି କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ବିଧାୟକ ଦଳର ବୈଠକ ପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିଜେଡି ଗୃହରେ ଏଲ୍‌ିଜି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବ । କୋଇଲା ରୟାଲ୍ଟି ଓ ଏମ୍‌ଏସ୍‌ପି ପ୍ରସଙ୍ଗ ମଧ୍ୟ ଉଠିବ । ସ୍ୱାମୀନାଥନ କମିଟି ସୁାରିସ୍‌ କାର୍ଯ୍ୟକାରୀ କରିବା ପାଇଁ ପ୍ରସଙ୍ଗ ଉଠିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭା ଶୀତକାଳିନ ଅଧିବେସନରେ ଆଲୋଚନା କରିବ ।

ଚଳିତ ବିଧାନସଭା ଅଧିବେସନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ । ବିଶେଷ ଭାବେ ରାଜ୍ୟରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ, ମହିଳା ନିର୍ଯାତନା, ଶିଶୁ ଅପହରଣ ଓ ହତ୍ୟ୍ୟ ମଣ୍ଡି ସମସ୍ୟା, ବେକାରୀ ସମସ୍ୟା, ବ୍ରାଉନସୁଗାର ଓ ଗଞ୍ଜେଇର ବ୍ୟାପକ କାରବାର, କାମ୍ପା, ଡିଏମ୍‌ଏଫ୍‌ ଫଣ୍ଡ୍‌ର ବାଟମାରଣା ଓ ହରିଲୁଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍‌ କାର୍ଡର ପ୍ରହେଳିକା, ବିଦ୍ୟାଳୟ ରୂାନ୍ତରିକରଣ ପ୍ରହସନ, ମାହାଙ୍ଗା ଡବଲ୍‌ ମର୍ଡର, ଏସିଏଫ୍‌ ସୈାମ୍ୟରଞ୍ଜନ ରହସ୍ୟଜନକ ମୃତ୍ୟୁ ଓ ବି ର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ ବୋଲି ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ଅବସରରେ ଆଲୋଚନା ହୋଇଥିବା ପ୍ରସଙ୍ଗ ସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.