ନୂଆଦିଲ୍ଲୀ: ଶେଷରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିସହ ଡିଜିପି ଅଫିସର ବିନା ପରମିସନରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ସେ କୌଣସି ପ୍ରାଇଭେଟ ସଂସ୍ଥା ବା ବ୍ୟବସାୟିକ ଅନୁଷ୍ଠାନରେ କାର୍ଯ୍ୟ କରିବା ଉପରେ ଅଙ୍କୁଶ ଲଗାଯାଇଛି । ଯଦି ସେ କୌଣସି ସରକାରୀ ନିୟମକୁ ଉଲ୍ଲଂଘନ କରନ୍ତେ, ତେବେ ତାଙ୍କୁ ଚାକିରିରୁ ବିଦା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପରମବୀରଙ୍କ ବିରୋଧରେ ସର୍ଭିସ୍ ରୁଲର ଅବମାନନା କରିବା ଅଭିଯୋଗ ରହିଛି । ଗତ ଅଗଷ୍ଟ ୨୯ ତାରିଖ ଛୁଟି ଶେଷ ହେବା ପରେ ସେ ଚାକିରିରେ ଯୋଗ ଦେଇନଥିଲେ କି ଏ ନେଇ ରାଜ୍ୟ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଜଣାଇନଥିଲେ । ତାଙ୍କ ନାମରେ ବଳପୂର୍ବକ ବଟି ଆଦାୟ କରିବା ନେଇ ଏକାଧିକ ମାମଲା ରହିଛି । ଆଣ୍ଟିଲିଆ ଘଟଣା ପରେ ଗତ ମାର୍ଚ୍ଚ ମାସରେ ତାଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇ ଦିଆଯାଇଥିଲା । ସେ ସମୟରେ ସେ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାମରେ ୧୦୦ କୋଟିର ବଟି ଆଦାୟ ନେଇ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଏହି ବିବାଦ ବଢ଼ିବା ପରେ ସେ ମୁମ୍ବାଇ ଛାଡ଼ି କୁଆଡ଼େ ପଳେଇ ଯାଇଥିଲେ । ଶେଷରେ ସୁପ୍ରିମକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପରେ ସେ ଚଣ୍ଡିଗଡ଼ରେ ଥିବା ନେଇ ସୂଚନା ମିଳିଥିଲା ।