ଗଣଶିକ୍ଷା ମନ୍ତ୍ରୀଙ୍କ ସର୍ଭେ ରିପୋର୍ଟ; ୭୧% ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍, ଦେଖନ୍ତୁ ଡ୍ରପଆଉଟ୍ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୭୧% ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ । ଏନେଇ ଗଣଶିକ୍ଷା ବିଭାଗର ସର୍ଭେରୁ ଆସିଲା ରିପୋର୍ଟ । ୨୦୨୦ ସେପ୍ଟେମ୍ବର ମାସରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ମାତ୍ର ୨୮.୮୭ % ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ଅଛି । ରାଜ୍ୟରେ ୭୧% ପିଲାଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍ । ଖୋର୍ଦ୍ଧାରେ ସର୍ବାଧିକ ୪୫.୮୦%, ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ବେଳେ କନ୍ଧମାଳରେ ସର୍ବନିମ୍ନ ୧୩.୮୩% ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି । ଏନେଇ ଗୃହରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଉତ୍ତର ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ସହିତ ବିଧାନସଭାରେ ଆଜି ସ୍କୁଲ ଡ୍ରପଆଉଟର ତାଲିକା ଦେଇଛନ୍ତି ସରକାର । ରାଜ୍ୟରେ ୮୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି । ୨୦୧୯-୨୦ ତଥ୍ୟରୁ ଆସିଛି ଏହି ରିପୋର୍ଟ । ନୂଆପଡ଼ାରୁ ସର୍ବାଧିକ ୭୬୯ ପିଲା ପାଠ ଛାଡ଼ିଛନ୍ତି । ଗଞ୍ଜାମରୁ ୫୮୩, ସୁନ୍ଦରଗଡ଼ରୁ ୫୨୬, ଖୋର୍ଦ୍ଧାରୁ ୬୦୩, କେନ୍ଦୁଝରରୁ ୬୮୧, କଳାହାଣ୍ଡିରୁ ୫୨୮ ପିଲା ପାଠ ଛାଡ଼ିଛନ୍ତି ।