କାନାଡାରୁ ଯିବା ଆସିବାରେ ଖର୍ଚ୍ଚ ହେଲାଣି ୯ ଲକ୍ଷ, ତଥାପି ମହିଳାଙ୍କୁ ମିଳୁନାହିଁ ମ୍ୟାରେଜ୍ ସାର୍ଟିଫିକେଟ୍

ଭୋପାଳ : ସରକାରୀ କଳ କେମିତି କାମ କରିଥାଏ ଏହାର ସଦ୍ୟତମ ଉଦାହରଣ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଦେଖିବାକୁ ମିଳିଛି। କାନାଡାର ନାଗରିକତ୍ଵ ପାଇଥିବା ଜଣେ ଭାରତୀୟ ମହିଳା ଗତ ଦେଢ ବର୍ଷ ହେବ ବିବାହ ପ୍ରମାଣପତ୍ର ପାଇଁ ଗ୍ଵାଲିୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନେକ ଚକ୍କର କାଟି ସାରିଲେଣି। ଏହା ମଧ୍ୟରେ ତିନି ଜଣ ଜିଲ୍ଲାପାଳଙ୍କ ବଦଳି ସରିଲାଣି। ତଥାପି ମହିଳାଙ୍କ ସମସ୍ୟାର ସମାଧାନ ହୋଇ ପାରିନି। ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ବୈଠକରେ ଏନଆରଆଇ ମହିଳା କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଛନ୍ତି। ଏହା ପରେ ମହିଳା ଅଧିକାରୀଙ୍କ ବୈଠକ ଶେଷ ହେବାକୁ ଅପେକ୍ଷା କରିଥିଲେ। ତେବେ ଯାଇ ଅଧିକାରୀ ମହିଳାଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ନିରାକରଣର ଆଶ୍ଵାସନା ଦେଇଛନ୍ତି।
ଲଗାତାର କରାଯାଇଛି ଅଣଦେଖା
ଜଳନ୍ଧର ନିବାସୀ ଅନୁପ୍ରୀତ କୌରଙ୍କ ପାଖରେ କାନାଡାର ନାଗରିକତା ରହିଛି। ସେ କହିଛନ୍ତି, ୨୦୨୦ ନଭେମ୍ବର ୭ରେ ଗ୍ଵାଲିୟରର ଗୋହଦ ଛକ ନିବାସୀ ନବଜୋତ ସିଂହ ରାନ୍ଧଓ୍ଵାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଉଭୟ ପ୍ରେମ ବିବାହ କରିଥିଲେ। ଏହା ପରଠୁ ଅନୁପ୍ରୀତ ବିବାହ ପ୍ରମାଣପତ୍ର ପାଇଁ ଗ୍ଵାଲିୟର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ ସବ କଲେକ୍ଟର କାର୍ଯ୍ୟାଳୟର ଅଧିକାରୀ ତାଙ୍କ ପ୍ରତି ଅବହେଳା କରିବା ସହିତ ତାଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଥିଲେ।
ବିବାହ ପ୍ରମାଣପତ୍ର ପାଇଁ ଦେଢ ବର୍ଷରେ କାନାଡାରୁ ଗ୍ଵାଲିୟର ଆସି ଜିଲ୍ଲାପାଳ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଭେଟିବା, ଭଡା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ସେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଉଭୟଙ୍କର ଏକ ଚାରି ମାସର ଶିଶୁ ଅଛି। ନିୟମ ଅନୁଯାୟୀ, ସ୍ଵାମୀଙ୍କୁ କାନାଡା ନେବାକୁ ହେଲେ ପତ୍ନୀର ବିବାହ ସାର୍ଟିଫିକେଟ୍ ଜରୁରୀ। ତେବେ ଯାଇ ଅନୁପ୍ରୀତ ନିଜ ସ୍ଵାମୀଙ୍କୁ କାନାଡା ନେଇ ପାରିବେ। ରନ୍ଧଓ୍ଵା ବର୍ତ୍ତମାନ ଗ୍ଵାଲିୟରରେ ଅଛନ୍ତି। ଏହି ମାମଲା ବିଷୟରେ ଜିଲ୍ଲାପାଳ କୌଶଲେନ୍ଦ୍ର ବିକ୍ରମ ସିଂହଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଏହି ମାମଲା ଏବେ ହିଁ ମୋ ସାମ୍ନାକୁ ଆସିଛି। ସମ୍ବନ୍ଧିତ ଅଧିକାରୀଙ୍କୁ ତୁରନ୍ତ ମ୍ୟାରେଜ୍ ସାର୍ଟିଫିକେଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏବେ କୌଣସି ଅଧିକାରୀ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।