କ୍ୱେଟା: ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ କଡ଼ା ପ୍ରହାର କରିଥିଲା। ଆଉ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଏବେ ତାର ସାମରିକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହାରି ଭିତରେ ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡିଛି।
ପାକିସ୍ତାନ ଜୁଲାଇ ୨୨ ତାରିଖରେ ଶାହିନ-୩ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଯାହା ପରୀକ୍ଷଣ ସମୟରେ ହିଁ ବିଫଳ ହୋଇଥିଲା। ଏହା ବେଲୁଚିସ୍ତାନ ପ୍ରଦେଶରେ ଏକ ଗାଁ ପାଖ ବିଲରେ ପଡିଥିଲା।
ଯାହା ଫଳରେ ବେଲୁଚିସ୍ତାନର ଲୋକମାନେ ରାଗିଯାଇଥିଲେ। ଆଉ କ୍ରୋଧିତ ହୋଇ କହିଥିଲେ ପାକିସ୍ତାନର ଏହି କାର୍ଯ୍ୟ ଯୋଗୁଁ କ୍ଷେପଣାସ୍ତ୍ରଟି ଯଦି କ୍ଷେତରେ ନ ପଡି ଗାଁ ଭିତରେ ପଡିଥାନ୍ତା ତେବେ କ’ଣ ହୋଇଥାନ୍ତା?
ବେଲୁଚିସ୍ତାନର କଡ଼ା ନିନ୍ଦା: ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ ଜନବସତି ନିକଟରେ ପାକିସ୍ତାନର ଶାହିନ କ୍ଷେପଣାସ୍ତ୍ର ପଡ଼ିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।
ସେ ତାଙ୍କ X ପୋଷ୍ଟରେ ଲେଖିଛନ୍ତି, “ବେଲୁଚିସ୍ତାନ ପାକିସ୍ତାନ ଦ୍ୱାରା ବାରମ୍ବାର ବିଫଳ କ୍ଷେପଣାସ୍ତ୍ର ପରୀକ୍ଷଣକୁ କଡ଼ା ନିନ୍ଦା କରୁଛି, ଯାହା କେବଳ ବେଲୁଚିସ୍ତାନର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରେ ନାହିଁ ବରଂ ସ୍ଥାନୀୟ ନାଗରିକଙ୍କ ଜୀବନକୁ ମଧ୍ୟ ଗୁରୁତର ବିପଦରେ ପକାଇଥାଏ।”
ବେଲୁଚିସ୍ତାନ ସୀମାରେ ପରୀକ୍ଷଣ: ବେଲୁଚିସ୍ତାନ ନେତା ଲେକିଛନ୍ତି ଯେ, ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ପାକିସ୍ତାନ ସେନା ଜୁଲାଇ ୨୨ ତାରିଖରେ ବେଲୁଚିସ୍ତାନ ସୀମାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିଲା।
ସେହି ସମୟରେ କ୍ଷେପଣାସ୍ତ୍ର ବିଫଳ ହେଲା। କ୍ଷେପଣାସ୍ତ୍ରଟି ଡେରା ଗାଜି ଖାନ ଅଞ୍ଚଳରୁ ନିକ୍ଷେପ କରାଯାଇଥିଲା ଏବଂ ଗ୍ରାପାନ୍ ଉପତ୍ୟକାର ଲୁପ୍ ସେହରାନି ଲେଭି ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ପଡ଼ିଥିଲା।
ଯଦି କ୍ଷେପଣାସ୍ତ୍ରଟି ସାମାନ୍ୟ ବିଚ୍ୟୁତ ହୋଇଥାନ୍ତା, ତେବେ ଏହା ବ୍ୟାପକ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ସମ୍ପତ୍ତି କ୍ଷତିର କାରଣ ସାଜିଥାନ୍ତା। ଯାହାକୁ ଆମେ କଡ଼ା ନିନ୍ଦା କରୁଛୁ।