fbpx

(Video) ଗଞ୍ଜେଇ ଖୋଜୁଥିବା ବେଳେ ପୋଲିସକୁ ବଡ଼ ସଫଳତା: ପରିବା ବ୍ୟାଗରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ଓ ସୁନା

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜେଇ ଖୋଜୁଥିବା ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜାମରେ ଗଞ୍ଜେଇ ଯାଞ୍ଚ ବେଳେ ଜବତ ହୋଇଛି ପୁଳା ପୁଳା ସୁନା ବିସ୍କୁଟ ଓ ବିଡ଼ା ବିଡ଼ା ଟଙ୍କା । ୧ କୋଟି ୨୨ ଲକ୍ଷର କ୍ୟାସ୍ ଓ ୨୦ଟି ସୁନା ବିସ୍କୁଟ ଜବତ ହୋଇଥିବା ଜଣାପଡିଛି । ଗତକାଲି ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ପରିବା ବ୍ୟାଗରୁ ଏସବୁ ଜବତ କରିଛି ପୋଲିସ ।

ତେବେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳ ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର ଯିବ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହି ଆଧାରରେ ଅବକାରୀ ଅଧିକାରୀ ବିଭିନ୍ନ ଛକରେ ଯାଞ୍ଚ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ନିକଟରେ ମୁମ୍ବାଇ ନମ୍ବର ପ୍ଲେଟ ଥିବା ଏକ କାର ଯାଉଥିବା ବେଳେ ତାହାକୁ ଅଟକାଇଥିଲେ ଅବକାରୀ ଅଧିକାରୀ ।

ଏହାପରେ ଉକ୍ତ ଗାଡ଼ି ଯାଞ୍ଚ କରିବାରୁ ତାହାର ଡିକି ମଧ୍ୟରୁ ୧ କୋଟି ୨୨ ଲକ୍ଷର କ୍ୟାସ୍ ମିଳିଥିଲା । ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲ ବୋଲି କାରରେ ଥିବା ୨ ଜଣଙ୍କୁ ପଚାରିବାରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କୁ ସୁନା ବିସ୍କୁଟ ବିକି ଏହି ଟଙ୍କା ଆଣିଥିବା କହିଥିଲେ । ଏହାପରେ ଉକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଯିବାରୁ ସେ ସୁନା କିଣିଥିବା ମାନିଥିଲେ । ତାଙ୍କ ନିକଟରୁ ସମୁଦାୟ ୨୨ଟି ସୁନା ବିସ୍କୁଟ ଜବତ ହୋଇଛି । ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ବଡ଼ବଜାରର ୨ ଜଣ ସୁନା ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣେ ଥିବା ଜଣାଯାଇଛି । ଅଟକ ବ୍ୟକ୍ତି ମହାରାଷ୍ଟ୍ରର ଭରତ ଗୋଖେ ନାୟକ ବୋଲି ଜଣାପଡିଛି ।

Get real time updates directly on you device, subscribe now.