ସାଙ୍ଗରେ ଆସୁଛି ୨ ଲଘୁଚାପ, ନେଇପାରେ ବାତ୍ୟାର ରୂପ !

ବଙ୍ଗୋପସାଗର ଓ ଆରବସାଗରରେ ଏକା ସାଙ୍ଗରେ ସୃଷ୍ଟି ହେବ ୨ ଲଘୁଚାପ!

ଭୁବନେଶ୍ୱର:  ରାଜ୍ୟରେ ଲଘୁଚାପ ଭୟ। ଏବେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ଥିବା ବେଳେ, ମେ ଶେଷ ସପ୍ତାହ ବେଳକୁ ଏକା ସାଙ୍ଗରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଓ ଆରବସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି। ମେ’ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ। ଏପଟେ ମେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।

ଏହାପରେ ପୁଣିଥରେ ମେ ୨୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ ବୋଲି ଆକଳନ କରାଯାଉଛି।