fbpx

World Cup ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବଦଳିଗଲେ ଭାରତୀୟ ଦଳର କୋଚ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୨ ମାସ ବାକି ରହିଛି । ଏହି ସମୟରେ ଭାରତୀୟ ଦଳରେ ବର୍ତ୍ତମାନ ବିଭିନ୍ନ ଏକ୍ସପେରିମେଣ୍ଟ ଦେଖିବାକୁ ମିଳୁଛି । ଦଳରେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ଚୟନ ପାଇଁ ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ବର୍ତ୍ତମାନ କୋଚ୍ ପଦବୀରେ ବି ବଡ଼ ପରିବର୍ତ୍ତନ ଦେଖାଯାଇଛି । ବିଶ୍ୱକପ ପୂର୍ବରୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ କୋଚ୍ ପଦରୁ ବାଦ୍ ଦିଆଯାଇଛି । ଆସନ୍ତା ଆୟରଲାଣ୍ଡ ସିରିଜରେ ନୂଆ କୋଚଙ୍କ ଅଧୀନରେ ଖେଳିବ ବୁମରାହ ବ୍ରିଗେଡ ।

ସୂଚନା ଅନୁସାରେ, ଏକ ବର୍ଷ ପରେ ପୁଣିଥରେ ଆୟରଲାଣ୍ଡ ଗସ୍ତରେ ଯାଉଛି ଟିମ ଇଣ୍ଡିଆ । ଏହି ଟି-୨୦ ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ମିଳିଥିବା ବେଳେ ନେତୃତ୍ୱ ନେଉଛନ୍ତି ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ଆହତ ଯୋଗୁଁ ବର୍ଷେ ପର୍ଯ୍ୟନ୍ତ ଦଳରୁ ବାଦ୍ ପଡ଼ିବା ପରେ ଏହି ସିରିଜ ସହ ବୁମରାହ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ମୁଖ୍ୟ କୋଚ ପଦବୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସରିଜରେ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ଦଳର କୋଚ ଭାବରେ ଦେଖିବାକୁ ମିଳିବନି । ଏହାସହିତ ଅନ୍ୟ କୋଚିଂ ଷ୍ଟାଫ ମଧ୍ୟ ଏହି ସିରିଜରେ ବିଶ୍ରାମ ନେଇଛନ୍ତି । ଏହି ସିରିଜ ପାଇଁ ଏନସିଏର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍ ପଦବୀ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଜଣାଯାଇଛି ଯେ, ସେ ମଧ୍ୟ କୋଚ୍ ଭାବରେ ଆୟଲାଣ୍ଡ ଗସ୍ତରେ ଯାଇ ପାରିବେ ନାହିଁ । ଅର୍ଥାତ୍ ଭାରତୀୟ ଦଳ ମୁଖ୍ୟ କୋଚଙ୍କ ବିନା ଆୟରଲାଣ୍ଡ ସିରିଜ ଖେଳିବାକୁ ଯିବ ।

ଗତବର୍ଷ ଆୟରଲାଣ୍ଡ ବିପକ୍ଷ ସିରିଜରେ ଯିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ନେଇଥିଲେ ଭିଭିଏସ ଲକ୍ଷ୍ମଣ । କିନ୍ତୁ ଚଳିତଥର ସେ ଏହି ଦାୟିତ୍ୱରୁ ଓହରିଯିବା ପରେ ସିତାଂଶୁ କୋଟକ କିମ୍ବା ସାଇରାଜ ବହୁତୁଳେଙ୍କୁ କୋଚିଂ ଷ୍ଟାଫ ଭାବରେ ପଠାଇପାରେ ବିସିସିଆଇ । ଆୟଲାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ମ୍ୟାଚ ଖେଳିବ । ଅଗଷ୍ଟ ୧୮ ତାରିଖରେ ପ୍ରଥମ ଟି-୨୦ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟମ୍ୟାଚ ୨୦ ଏବଂ ୨୩ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚ ଖେଳାଯିବ ।

ଆୟରଲାଣ୍ଡ ବିପକ୍ଷରେ ଭାରତୀୟ ଦଳ: ଜଶପ୍ରୀତ ବୁମରାହ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପ-ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶହବାଜ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଏବଂ ଆଭେଶ ଖାନ୍

Get real time updates directly on you device, subscribe now.