ଦିଲ୍ଲୀରେ ସବୁଠୁ ଅଧିକ ଭୋକିଲା, ବର୍ଷକରେ ୯ କୋଟି ବିରିୟାନି, ୫ କୋଟି ପିଜା ବିକ୍ରିକରିଛି ଜୋମାଟୋ
ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଅନଲାଇନରେ ୫,୧୩,୭୩୩ ଟଙ୍କାର ଖାଦ୍ୟ ଅର୍ଡର କରି ରେକର୍ଡ କରିଛନ୍ତି । ସେହିପରି ଅନଲାଇନ ଅର୍ଡରରୁ ବାଦ୍ ପଡ଼ିନି ଚା’- କଫି ।
ବେଙ୍ଗାଲୁରୁ: ଜଣେ ବ୍ୟକ୍ତି ୧୨ ମାସରେ ଖାଇଛନ୍ତି ୫,୧୩,୭୩୩ ଟଙ୍କାର ଖାଦ୍ୟ । ଆମ ଦେଶରେ ଖାଦ୍ୟପ୍ରେମୀଙ୍କ ସଂଖ୍ୟା ଅଧିକ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଅନଲାଇନରେ ଅର୍ଡର କରି ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଆଲୋଚନାର ଶୀର୍ଷକ ପାଲଟିଛନ୍ତି । ଫୁଡ୍ ଡେଲିଭରି ସଂସ୍ଥା ଜୋମାଟୋ ଜାରି କରିଛି ଏ ଖବର । ଏହି ବ୍ୟକ୍ତି ୨୦୨୪ରେ ସବୁଠାରୁ ଅଧିକ ଖାଦ୍ୟ ଅର୍ଡର କରିଛନ୍ତି ।
ପ୍ରତିବର୍ଷ ବିରିଆନି ଅଧିକ ମାତ୍ରାରେ ବିକ୍ରି ହେଥିବାବେଳେ ବିଦାୟୀ ବର୍ଷରେ ଜୋମାଟୋରୁ ୯ କୋଟି ବିରିୟାନି ଅର୍ଡର କରାଯାଇଛି । ଜାନୁଆର ୧ ତାରିଖ ଠାରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତର ତଥ୍ୟକୁ ନେଇ ଜୋମାଟୋ ଏହି ରିପୋର୍ଟ ପ୍ରକାଶ କରିଛି ।
ଅନ୍ୟପକ୍ଷେ ଦିଲ୍ଲୀରେ ଜୋମାଟୋ ପାଖାପାଖି ୧୯୫ କୋଟି ଟଙ୍କାର ବ୍ୟବସାୟ କରିଛି । ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରୁ ଏବଂ ତୃତୀୟ ସ୍ଥାନରେ ମୁମ୍ବାଇ ରହିଛି ।
ବର୍ଷ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଜୋମାଟୋ ଏବେ ସୁଦ୍ଧା ୫ କୋଟିରୁ ଅଧିକ ପିଜା ବିକ୍ରି କରିସାରିଲାଣି ।
ଲୋକ ଖାଦ୍ୟ ସାଙ୍ଗକୁ ଚା’ କଫି ଅର୍ଡର କରିବାକୁ ଭୁଲି ନାହାନ୍ତି । ଜୋମାଟୋରେ ସର୍ବମୋଟ ୭୭,୭୬,୭୨୫ ଟି ଚା’ ଅର୍ଡର କରିଥିବାବେଳେ ୭୪,୩୨,୮୫୬ ଟି କଫି ଅର୍ଡର କରିଛନ୍ତି ।