ପ୍ରେମ କରିଦେଲା ପାଗଳ, ପ୍ରେମିକାକୁ ପାଇବା ପାଇଁ ନିଜ ଦେହରେ ନିଆଁ ଲଗାଇଦେଲେ ପ୍ରେମିକ

ଏକତରଫା ପ୍ରେମକୁ ପାଇବା ପାଇଁ ପ୍ରେମିକ ଜଣଙ୍କ ଜୀବନକୁ ବାଜି ଲଗାଇଦେଲେ

ଉତ୍ତରପ୍ରଦେଶ: ଦିନକୁ ଦିନ ପ୍ରେମର ସଂଜ୍ଞା ବଦଳିଗଲାଣି। ଛୋଟ ଛୁଆଠୁ ଆରମ୍ଭ କରି ସ୍ତ୍ରୀ ଛୁଆ ଥିବା ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେମ ହେଇଯାଉଛି। କେହି କେହି ତ ପ୍ରେମରେ ଏତେ ପାଗଳ ହେଇଯାଉଛନ୍ତି ଯେ, ନିଜ ଜୀବନକୁ ନିଜ ହାତରେ ମଧ୍ୟ ଶେଷ କରିଦେଉଛନ୍ତି। ସେହିଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଏକତରଫା ପ୍ରେମ ପାଇଁ ଦେହରେ ନିଆଁ ଲଗାଇଦେଇଛନ୍ତି ଜଣେ ଯୁବକ।

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବାଲିଆ ନିକଟସ୍ଥ ଫେଫନା ଥାନା ଅଞ୍ଚଳରେ। ଏଠାରେ ଜଣେ ଯୁବକ ଫୟାଜ, ଏକ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ଝିଅଟି ତାଙ୍କୁ ପସନ୍ଦ କରୁନଥିଲା। ଯୁବକ ଜଣଙ୍କ ଝିଅ ପାଇଁ ଏତେ ପାଗଳ ଥିଲେ ଯେ, ଠିକ କୋଉଟା ଭୁଲ କୋଉଟା ସେ ଜାଣିପାରୁନଥିଲେ। ମନା କରିବା ସତ୍ୱେ ମଧ୍ୟ ଝିଅଟିକୁ ବିବାହ କରିବା ପାଇଁ ସେ ବାଧ୍ୟ କରାଉଥିଲେ।

ମଙ୍ଗଳବାରଦିନ ରାତିରେ ଯେତେବେଳେ ଯୁବକ ଜଣଙ୍କ ଗୁଜୁରାଟରୁ କାମ ସାରି ଫେରିଛନ୍ତି ଝିଅଟିର ଘର ଆଗରେ ହଠାତ ଜୋରେ ଚିତ୍କାର କରି କହିଲେ ଯେ, “ତୁମେ ମୋତେ ବିବାହ କରିବ କି ନାହିଁ”। ଝିଅଟି ଯେତେବେଳେ କିଛି ଉତ୍ତର ଦେଲେନି, ନିଜ ଉପରେ ପେଟ୍ରୋଲ ଢାଳି ସେ ନିଆଁ ଲଗାଇଦେଲେ।

ଶେଷରେ ତାଙ୍କୁ ଗାଁର ଲୋକମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କ ଅବସ୍ଥା ଦେଖି ଜିଲ୍ଲା ହସ୍ପିଟାଲ ବାରାଣସୀର ଏକ ହସ୍ପିଟାଲକୁ ରେଫର କରାଇଥିଲେ।

ଏହିସବୁ ଘଟଣା ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ନିଆଁ ଲାଗିବା ପରେ ଯୁବକ ଜଣଙ୍କ ଏଣେତେଣେ ଦୌଡ଼ୁଛନ୍ତି। ଯାହାକୁ ଦେଖି ପାଖରେ ଥିବା ଲୋକମାନେ ଯୁବକ ଜଣଙ୍କୁ ବଞ୍ଚେଇବାକୁ ଯାଇ କମ୍ବଳ ତାଙ୍କ ଉପରେ ଘୋଡାଇ ନିଆଁ ଲିଭାଉଛନ୍ତି।

ଘଟଣା ବିଷୟରେ ସୂଚନା ଦେଇ ପୋଲିସ ଅଧୀକ୍ଷକ କୃପା ଶଙ୍କର କହିଛନ୍ତି, ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ, ଏହି ଘଟଣା ପ୍ରେମ ସମ୍ପର୍କ ଯୋଗୁଁ ହୋଇଛି। ଏ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।