ମୁମ୍ବାଇ: ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ଭାରତ ନିଜର ପ୍ରେମିକ ସଚିନ ପାଖକୁ ଚାଲି ଆସିଥିବା ସୀମା ହେଇଦରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଏବେ ସୀମା ଓ ସଚିନଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ତେବେ ଏକ ତାଜା ସୂଚନା ଅନୁସାରେ ଏହି ୨ ଜଣଙ୍କ ପ୍ରେମ କାହାଣୀ ଫିଲ୍ମ “କରାଚୀ ଟୁ ନୋଏଡା’ ଲାଗି ସୀମାଙ୍କ ଡୁପ୍ଲିକେଟ ଅର୍ଥାତ୍ ପ୍ରତିରୂପ କାଷ୍ଟ ହୋଇଯାଇଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ପାକିସ୍ତାନୀ ମହିଳା ସୀମା ଗୁଲାମ ହେଇଦର ଓ ଗ୍ରେଟର ନୋଏଡାର ସଚିନ ମୀଣାଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମ କରାଚୀ ଟୁ ନୋଏଡା ନିର୍ମାଣ କରୁଛନ୍ତି । କିନ୍ତୁ ଫିଲ୍ମରେ ସୀମା ହେଇଦର ଭୂମିକା ନିଭାଇବା ଲାଗି ୬୦ରୁ ଅଧିକ ପ୍ରତିଯୋଗୀଙ୍କ ଅଡିସନ ଟେଷ୍ଟ ହୋଇସାରିଛି । ଏବେ ସୂଚନା ମିଳିଛି ଯେ, ଦିଲ୍ଲୀରେ ରହୁଥିବା ଫରହୀନ ଫଲକଙ୍କୁ ଫିଲ୍ମ ନିର୍ମାତା ଏଥିପାଇଁ ଚୟନ କରିଛନ୍ତି ।
ଫରହୀନ ଫଲକ ଦିଲ୍ଲୀରେ ରୁହନ୍ତି ଏବଂ ସେ ଜଣେ ଥିଏଟର କଳାକାର । ଏବେ ସେ ଜଣେ ମଡେଲ ଓ ଅଭିନେତ୍ରୀ ଭାବରେ ମୁମ୍ବାଇରେ କାମ କରୁଛନ୍ତି । ଫରହୀନଙ୍କ ଚେହେରା ଓ କଣ୍ଠସ୍ୱର ସୀମା ହେଇଦରଙ୍କ ସହ ବହୁମାତ୍ରାରେ ମିଶୁଛି । ଫରହୀନ ବହୁ ଫିଲ୍ମରେ ଅଭିନୟ ମଧ୍ୟ କରି ସାରିଛନ୍ତି । ସଲମାନ ଖାନ୍, ରଣବୀର କପୁର, ଅଜୟ ଦେବାଗନଙ୍କ ଫିଲ୍ମରେ ଫରହୀନ ମଧ୍ୟ କାମ କରିଛନ୍ତି ।