fbpx

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ, (ଭାସ୍କର ନ୍ୟୁଜ୍‌) : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତି ଶନିବାର ଗୁଣ୍ଡିଚା ମନ୍ଦିରର ଆଡ଼ ମଣ୍ଡପକୁ ବିଜେ କରିଛନ୍ତି । ଶୁକ୍ରବାର ଠାରୁ ଶରଧାବାଲିରେ ରଥ ଉପରେ ରଥାରୂଢ଼ ଥିବା ୩ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଗହଳି ଲାଗି ରହିଛି । ଶୁକ୍ରବାର ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ୩ ରଥ ଲାଗିଥିଲା । ରଥ ଉପରେ ଠାକୁରମାନଙ୍କ ନୀତିକାନ୍ତି ସହ ଭୋଗଲାଗି କରାଯାଇଥିଲା । ଶନିବାର ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଆଡ଼ ମଣ୍ଡପକୁ ନିଆଯାଇଥିଲା । ରବିବାର ଠାରୁ ଆଡ଼ପ ଅବଢ଼ା ଭକ୍ତମାନଙ୍କୁ ଯୋଗାଇ ଦିଆଯିବ । ଏଥିସହ ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିବ ।

ଶନିବାର ସକାଳେ ଶ୍ରୀଜୀଉ ରଥାରୂଢ଼ ଥିବାରୁ ଶ୍ରଦ୍ଧାଳୁମାନଙ୍କୁ ରଥ ଛୁଇଁବା ପାଇଁ ଅନୁମତି ଦିଆଯାଇ ନଥିଲା । ଶ୍ରଦ୍ଧାଳୁମାନେ ରଥ ସମ୍ମୁଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଶ୍ରୀମନ୍ଦିର କଳାହାଟ ଦ୍ୱାରର ରୁାଛାଉଣୀ ଆରମ୍ଭ ହୋଇଛି । ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ କଳାହାଟ ଦ୍ୱାରର ଫ୍ରେମ୍‌ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା । ନିଳାଚଳ ଭକ୍ତ ନିବାସରେ ନୂଆ ଫ୍ରେମ୍‌ ତିଆରି କରାଯାଇଛି । ବର୍ମାଟିକ୍‌ କାଠ ଉପରେ ଉକ୍ରଳୀୟ ଢାଞ୍ଚାରେ କାରୁକାର୍ଯ୍ୟ ହୋଇଥିବା ଏହି ଦ୍ୱାରକୁ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୁ । ଛାଉଣୀ କରାଯାଇଥିଲା । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗରୁ ବଞ୍ଚିତ ହୋଇଥିଲେ । ତେବେ ଚଳିତ ବର୍ଷ ରଥ ଉପରେ ଶ୍ରୀଜୀଉଙ୍କୁ ଦେଖି ଭକ୍ତମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.