fbpx

ଏତିକି ବର୍ଷ ପରେ ମହିଳାଙ୍କଠାରେ ଦେଖାଯାଇଥାଏ କିଡନୀ ରୋଗ ! ଜାଣନ୍ତୁ ଏହି ସମସ୍ୟାର ମୁଖ୍ୟ କାରଣ ବିଷୟରେ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସଠିକ୍ ଜୀବନଶୈଳୀ ଆପଣେଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯେଉଁମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ତାହାର ଏକମାତ୍ର କାରଣ ହେଉଛି ଖରାପ ଜୀବନଶୈଳୀ। ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି କିଡନୀ ସମ୍ବନ୍ଧୀୟ ସମସ୍ୟା। ଏହି ସମସ୍ୟା ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ବୟସରେ ଆସିପାରେ। ଏକ ସର୍ଭେ ରିପୋର୍ଟ ଅନୁସାରେ ବିଶେଷ କରି ମହିଳାମାନେ ଏହି ରୋଗରେ ଅତ୍ୟଧିକ ପ୍ରଭାବିତ ହୁଅନ୍ତି। ୩୦ ବର୍ଷ ବୟସ ପରେ ଅଧିକାଂଶ ମହିଳାଙ୍କୁ କିଡନୀ ଜନିତ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ।

ମହିଳାଙ୍କ କିଡନୀ ଜନିତ ସମସ୍ୟାର ମୁଖ୍ୟ କାରଣ ସମ୍ପର୍କରେ ଜାଣିବା
ହରମୋନାଲ ପରିବର୍ତ୍ତନ- ମହିଳାଙ୍କ ଶରୀରରେ ବୟସ ଅନୁସାରେ ବିଭିନ୍ନ ହରମୋନାଲ ପରିବର୍ତ୍ତନ ହୋଇଥାଏ। ଏହି ହରମୋନ୍ ପରିବର୍ତ୍ତନ ୩୦ ବର୍ଷ ବୟସ ପୂର୍ବରୁ ଏବଂ ପରେ ମଧ୍ୟ ଘଟିଥାଏ। ହରମୋନ୍ ସ୍ତରର ପରିବର୍ତ୍ତନ ବିଶେଷକରି ଇଷ୍ଟ୍ରୋଜେନ୍, କିଡନୀ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ସୁସ୍ଥ ରକ୍ତ ନଳୀକୁ ବଜାୟ ରଖିବା ଏବଂ କିଡନୀରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବାରେ ଇଷ୍ଟ୍ରୋଜେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଷ୍ଟ୍ରୋଜେନ୍ ସ୍ତରରେ ଅସନ୍ତୁଳନ ହେତୁ କିଡନୀ ରୋଗ ହେବାର ଆଶଙ୍କା ବଢିଯାଏ। ଯେଉଁ କାରଣରୁ କିଡନୀ ସଂକ୍ରମଣ, ସିଷ୍ଟ ଏବଂ କିଡନୀରେ ପଥର ହେବାର ସମ୍ଭାବନା ବଢିଯାଏ।

ଗର୍ଭବତୀ ସମ୍ବନ୍ଧୀୟ ସମସ୍ୟା- ଏକରୁ ଅଧିକ ଛୁଆ ଜନ୍ମ ଦେଇଥିବା ମହିଳାଙ୍କ ନିଜର ଜୀବନ କାଳରେ ଯେକୌଣସି ମୁହୂର୍ତ୍ତରେ ଏହି କିଡନୀ ଜନୀତ ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ। ଯେଉଁ ମହିଳାଙ୍କୁ ଗର୍ଭବତୀ ସମୟରେ ଜେଷ୍ଟେଶନାଲ ମଧୁମେହ, ଉଚ୍ଚ ରକ୍ତଚାପର ସମ୍ମୁଖିନ ହେବାକୁ ପଡିଥାଏ ସେହି ମହିଳାଙ୍କର ଭବିଷ୍ୟତରେ କିଡନୀ ଜନୀତ ସମସ୍ୟା ହେବାର ଆଶଙ୍କା ବଢିଯାଏ। ଏଭଳି ପରିସ୍ଥିତିରେ ମହିଳାମାନେ ପ୍ରସବ ପରେ ନିଜର ସ୍ୱାସ୍ଥ୍ୟ ଏବଂ କିଡନୀ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ।

ପୁରୁଣା ରୋଗ- ଦୀର୍ଘ ଦିନ ଧରି ଚାଲିଆସୁଥିବା କୌଣସି ପୁରୁଣା ରୋଗ ଯୋଗୁଁ ମହିଳାମାନଙ୍କୁ କିଡନୀ ଜନୀତ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଲୁପସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ପରି ଅଟୋଇମ୍ୟୁନ୍ ଡିସଅର୍ଡର ଯୋଗୁଁ ମହିଳାମାନଙ୍କୁ କିଡନୀ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏହା ସହିତ ଯେଉଁ ମହିଳାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ବୟସ ସହିତ ବଢିଥାଏ ସେହି ମହିଳାଙ୍କର କିଡନୀ ନଷ୍ଟ ହେବାର ଆଶଙ୍କା ବଢିଥାଏ। ଏପରି ପରିସ୍ଥିତିରେ ଏହି ଦୁଇଟି ସମସ୍ୟାକୁ ନିୟନ୍ତ୍ରଣରେ ରଖିବା ଜରୁରୀ।

ଖରାପ ଜୀବନଶୈଳୀ- ଖରାପ ଜୀବନଶୈଳୀ କିଡନୀ କାର୍ଯ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ, ଉଚ୍ଚ ସୋଡିୟମ୍ ଖାଦ୍ୟ, ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା କିଡନୀ ସମସ୍ୟା ହେବାର ଆଶଙ୍କା ବଢିଥାଏ। କିଡନୀକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜେନେଟିକ୍ କାରଣ- ପାରିବାରିକ ଜେନେଟିକ ସମସ୍ୟା ଥିଲେ ଅନେକ ଥର କିଡନୀ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ପଲିସିଷ୍ଟିକ୍ କିଡନୀ ରୋଗ (PKD) ଏବଂ କେତେକ ପ୍ରକାରର ଗ୍ଲୋମେରୁଲୋନେଫ୍ରାଇଟିସ୍ ଭଳି ଅବସ୍ଥା ପାରିବାରିକ ଥାଇପାରେ। ତେଣୁ ଏହି ସମସ୍ୟା ୩୦ ବର୍ଷ ବୟସ ପରେ ମହିଳାମାନଙ୍କଠାରେ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ, ଆପଣ ନିଜ ତଥା ପରିବାର ସଦସ୍ୟଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଜରୁରୀ। ଯାହା ଦ୍ୱାରା ଆପଣ ଏହି ରୋଗ ବିଷୟରେ ସମୟ ପୂର୍ବରୁ ଜାଣିପାରିବେ।

ଏହା ଏକ ସାଧାରଣ ସୂଚନା। କିଡନୀ ସହିତ ଜଡିତ କୌଣସି ପ୍ରକାରର ସମସ୍ୟାରୁ ରକ୍ଷା ପାଇବା ପାଇଁ ମହିଳାମାନେ ସମୟ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ଏବଂ ଶରୀରରେ ଯଦି କୌଣସି ଅସାଧାରଣ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ।

Get real time updates directly on you device, subscribe now.