ଜ୍ଞାନବ୍ୟାପୀ ପରେ ମଥୁରା ଇଦଗାହର ସର୍ଭେ କରାଇବାକୁ ଦାବି, ଜୁଲାଇ ୧ରେ କୋର୍ଟରେ ଶୁଣାଣି

ମଥୁରା: କାଶୀ-ବିଶ୍ଵନାଥ-ଜ୍ଞାନବ୍ୟାପୀ ମସଜିଦର ସର୍ଭେ ପରେ ଏବେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମାମଲା ଚର୍ଚ୍ଚାର ପରିସରକୁ ଆସିଛି। ମଥୁରା ଇଦଗାହର ସର୍ଭେ ପାଇଁ ଦାବି କରି କୋର୍ଟରେ ଯାଚିକା ଦାଖଲ କରାଯାଇଛି। ଏହା ଉପରେ ଜୁଲାଇ ୧ରେ ଶୁଣାଣି କରିବାକୁ ଅଦାଲତ ତାରିଖ ଧାର‌୍ୟ୍ୟ କରିଛନ୍ତି। ମନୀଷ ଯାଦବ କୋର୍ଟରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଇଦଗାହ ମସଜିଦର ସର୍ଭେ କରାଇବାକୁ ଦାବି କରିଛନ୍ତି। ମଥୁରା କୋର୍ଟ ଯାଚିକାକୁ ସ୍ଵୀକାର କରିବା ସହ ଏହା ଉପରେ ଜୁଲାଇ ୧ରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖନୀୟ ଆବେଦନକାରୀ ମନୀଷ ଯାଦବ, ମହେନ୍ଦ୍ର ପ୍ରତାପ ସିଂହ ଏବଂ ଦିନେଶ ଶର୍ମା ଗୋଟିଏ ପ୍ରକାରର ଭିନ୍ନ ଭିନ୍ନ ଯାଚିକା ଦାଖଲ କରିଥିଲେ। ଏଥିରେ କୋର୍ଟ କମିଶରନ ନିଯୁକ୍ତ କରାଯାଇ ଇଗଗାହର ଭିଡିଓଗ୍ରାଫି କରାଯିବାକୁ ଦାବି କରାଯାଇଛି। ଅଦାଲତ ଯାଚିକା ସ୍ଵୀକାର କରିବା ସହ ଶୁଣାଣି ପାଇଁ ଆବେଦନକାରୀଙ୍କୁ ଜୁଲାଇ ୧ ସମୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଆହ୍ଲାବାଦ ହାଇକୋର୍ଟ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ନିମ୍ନ ଅଦାଲତଙ୍କକୁ ତୁରନ୍ତ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟ ମଥୁରା ଅଦାଲତଙ୍କୁ ଚାରି ମାସ ଭିତରେ ଶୁଣାଣି ପୂରା କରିବାକୁ ଆଦେଶ ଦେଇଥିଲେ। ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ରଖିବାକୁ ସମୟ ଦେବାକୁ ଉଚ୍ଚ ନ୍ୟାୟାଳୟ କହିଥିଲେ।

କଣ ମାମଲା

ଲକ୍ଷ୍ନୌ ନିବାସୀ ରଞ୍ଜନା ଅଗ୍ନିହୋତ୍ରୀ ଶ୍ରୀକୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିର ମାଲିକାନା ଦାବକୁ ନେଇ କୋର୍ଟରେ ଯାଚିକା ଦାୟର କରିଛନ୍ତି। ଏଥିରେ ଶ୍ରୀକୃଷ୍ଣ ଜନ୍ମଭୂମିରେ ନିର୍ମିତ ଶାହି ଇଦଗାହ ମସଜିଦକୁ ହଟାଇବାକୁ ଦାବି କରାଯାଇଛି। କୋର୍ଟରେ ଦାଖଲ ଯାଚିକାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ନିକଟ କଟରା କେଶବ ଦେବ ମନ୍ଦିରର ୧୩.୩୭ ଏକର ପରିସରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶ କ୍ରମେ ୧୬୬୯-୭୦ରେ ନିର୍ମିତ ମସଜିଦ ହଟାଇବାକୁ ଦାବି କରାଯାଇଛି।