fbpx

ନାନ୍ସିଙ୍କ ଗସ୍ତ ପରେ ଚୀନ୍ ଟାର୍ଗେଟ୍‌ରେ ତାଇୱାନ, ସୀମାରେ ସମରାଭ୍ୟାସ ଜୋରଦାର

ନୂଆଦିଲ୍ଲୀ: ଚୀନର ଚେତାବନୀ ସତ୍ତେ୍ୱ ଆମେରିକା ସିନେଟ୍ ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ପ୍ରଚଣ୍ଡ କ୍ଷୁବ୍ଧ ହୋଇଛି । ମଙ୍ଗଳବାର ନାନ୍ସି ତାଇୱାନରେ ପହଁଚିଥିବା ବେଳେ ବୁଧବାର ତାଇୱାନ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନ କରିଥିଲେ । ତେବେ ନାନ୍ସି ତାଇୱାନ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବା ପରେ ନାନ୍ସିଙ୍କ ଗସ୍ତକୁ ବିରୋଧ କରୁଥିବା ଚୀନ ଏବେ ନିଜର ଆଭିମୁଖ୍ୟକୁ ଆହୁରି ଆକ୍ରମଣାତ୍ମକ କରିଛି । ନାନ୍ସିଙ୍କ ଗସ୍ତର ଦଣ୍ଡ ତାଇୱାନ ଭୋଗିବ ବୋଲି ଚୀନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହ ତାଇୱାନ ସୀମାରେ ଚୀନ ପକ୍ଷରୁ ସମରାଭ୍ୟାସକୁ ଜୋର୍ଦାର କରାଯାଇଛି । ଚୀନ ପକ୍ଷରୁ କୁହାଯାଇଛି ଯେ, ଲୋକତନ୍ତ୍ର ଆଳରେ ଚୀନର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଆମେରିକା ଉଲ୍ଲଂଘନ କରିଛି।

ଚୀନକୁ ଯିଏ ଆଘାତ ପହଞ୍ଚାଇବ ତାକୁ ନିଶ୍ଚିତ ରୂପେ ଦଣ୍ଡ ଦିଆଯିବ ବୋଲି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ଖୋଲାଖୋଲି ଧମକ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ସ୍ୱୟଂଶାସିତ ତାଇୱାନକୁ ଚୀନ ନିଜର ଅଂଶ ବୋଲି ଦାବି କରୁଛି। ୨ୟ ବିଶ୍ୱଯୁଦ୍ଧ ପର ଠାରୁ ଚୀନ ଏହି ଦାବି କରିଆସୁଥିଲେ ମଧ୍ୟ ତାଇୱାନ ଏକ ସ୍ୱୟଂଶାସିତ ରାଜ୍ୟ ବୋଲି ନିଜକୁ କହୁଛି। ବିଶ୍ୱର ୧୩ଟି ରାଷ୍ଟ୍ର ତାଇୱାନକୁ ସ୍ୱୀକୃତି ଦେଇଛନ୍ତି। ମଙ୍ଗଳବାର ଆମେରିକା ସିନେଟର ବାଚସ୍ପତି ନାନ୍ସି ତାଇୱାନରେ ପହଞ୍ଚିବାର କିଛି ସମୟ ପରେ ଚୀନ ତାଇୱାନକୁ ଘେରାବନ୍ଦୀ କରି ଲାଇଭ୍ ଫାୟାର ସମରାଭ୍ୟାସ କରିବ ବୋଲି ଘୋଷଣା କରିଥିଲା। ଏହାଛଡ଼ା ତାଇୱାନ ଉପରେ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଚୀନ ଲଗାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ତାଇୱାନର ୬ଟି ଅଞ୍ଚଳରେ ଲାଇଭ୍ ଫାୟାର ସମରାଭାସ କରିବା ପାଇଁ ଘୋଷଣା କରିଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ କେତେକ ତାଇୱାନ ସାମୁଦ୍ରିକ ସୀମା ଅଞ୍ଚଳରେ ରହିଛି ।

ସେପଟେ ଚୀନର ଏହି ସମରାଭ୍ୟାସ ତାଇୱାନର ବିମାନ ଚଳାଚଳ ଓ ଜାହାଜର ଗତିବିଧି ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଏସବୁ ଭିତରେ ଆଶଙ୍କା ସୃଷ୍ଟି ହୋଇଛି ଯେ, ଚୀନ ଯେ କୌଣସି ମୁହୂର୍ତ୍ତରେ ତାଇୱାନ ଉପରେ ଆକ୍ରମଣ କରିପାରେ । ଚୀନର ପିପୁଲ ଲିବରେସନ ଆର୍ମି (ପିଏଲ୍ଏ) ତାଇୱାନକୁ ଚାରିପଟେ ଘେରି ରହିଛି । ଏବେ କିନ୍ତୁ ଚୀନ ଓ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଚୀନ ମଧ୍ୟ ବହୁ ସମୟରେ ତାଇୱାନ ସୀମାରେ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ତାଇୱାନ ମଧ୍ୟ ଏହାର କଡ଼ା ଜବାବ ଦେଇଆସୁଥିଲା । ଚୀନର ଜନସଂଖ୍ୟାକୁ ଦେଖିଲେ ବର୍ତ୍ତମାନ ଚୀନରେ ୧୩୯ କୋଟି ନାଗରିକ ରହୁଛନ୍ତି। ସେହିପରି ତାଇୱାନରେ ମାତ୍ର ୨.୩୫ କୋଟି ଲୋକ ବସବାସ କରୁଛନ୍ତି। ଯଦି ଯୁଦ୍ଧ ହୁଏ ତେବେ ତାଇୱାନକୁ ଆମେରିକା ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଚୀନ ପାଖରେ ୨୦ ଲକ୍ଷ ସୈନ୍ୟ ରହିଥିବାବେଳେ ତାଇୱାନ ପାଖରେ ୧.୭୦ ଲକ୍ଷ ସୈନ୍ୟ ରହିଛନ୍ତି । ସେହିଭଳି ଚୀନ ପାଖରେ ୫.୧୦ ଲକ୍ଷ ରିଜର୍ଭ ଏବଂ ତାଇୱାନ ପାଖରେ ୧୫ ଲକ୍ଷ ରିଜର୍ଭ ସୈନ୍ୟ ରହିଛନ୍ତି । ରିଜର୍ଭ ସେନା ରଖିବା ତାଲିକାରେ ତାଇୱାନ ବିଶ୍ୱରେ ୧ମ ସ୍ଥାନରେ ରହିଥିଲାବେଳେ ଚୀନ ୬ଷ୍ଠ ସ୍ଥାନରେ ରହିଛି । ଅସ୍ତ୍ରଶସ୍ତ୍ର ଓ ବିମାନ ଦୃଷ୍ଟିରୁ ଦେଖିଲେ ଚୀନ ପାଖରେ ଏହା ଅଧିକ ପରିମାଣ ରହିଛି । ତେଣୁ ଯଦି ଯୁଦ୍ଧ ଲାଗେ ତେବେ କାହାର ବିଜୟ ହେବ ତାହା ଏବେଠୁ ଆକଳନ କରିବା କାଠିକର ପାଠ ।

Get real time updates directly on you device, subscribe now.