fbpx

ଅଧିନାୟକ ପଦ ଛାଡ଼ିବା କୋହିଲଙ୍କୁ ମହଙ୍ଗା ପଡ଼ିବନି ତ? କ’ଣ ହେବ ଆଗକୁ ତାଙ୍କର ବ୍ରାଣ୍ଡ ଭାଲ୍ୟୁ, କମିବ ନା ବଢ଼ିବ

ନୂଆଦିଲ୍ଲୀ: ଟେଷ୍ଟ ଟିମରୁ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ କୋହଲିଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ କୋହଲିଙ୍କ ଇସ୍ତଫା ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା । ତେବେ ଏବେ ବିରାଟଙ୍କୁ ନେଇ କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ତାହା ହେଉଛି ବିରାଟଙ୍କ ବ୍ରାଣ୍ଡ ଭାଲ୍ୟୁ ଆଗକୁ କମିବ ନା ବଢ଼ିବ । ବର୍ତ୍ତମାନ ସମୟରେ ବିରାଟ ଭାରତବର୍ଷର ସବୁଠାରୁ ମହଙ୍ଗା ବ୍ରାଣ୍ଡ ଆମ୍ବାସଡର ଅଟନ୍ତି । ସେ ଏମଆରଏଫ, ହିରୋ ମୋଟୋକର୍ପ, ଭିଭୋ, ବ୍ଲୁଷ୍ଟାର, ମିନ୍ତ୍ରା, ଆମେରିକାନ୍ ଟୁରିଷ୍ଟର, ପୁମା, ଭୋଲିନି, ଅଡି, ଉବର ଇଣ୍ଡିଆ, ରୟାଲ ଚାଲେଞ୍ଜ ପରି ପ୍ରାୟ ୩୦ଟି ବ୍ରାଣ୍ଡର ପ୍ରଚାର କରୁଛନ୍ତି । ତେବେ ଅଧିନାୟକ ପଦରୁ ଓହରିବା ପରେ ବି କୋହିଲି ଜଣେ ମଜବୁତ ବ୍ରାଣ୍ଡ ବୋଲି ଅଡି ଓ ପୁମା ପକ୍ଷରୁ କୁହାଯାଇଛି ।

କିଛିଦିନ ପୂର୍ବରୁ ଟି-୨୦ ଓ ଦିନିକିଆରୁ କୋହଲି କ୍ୟାପ୍ଟେନସିପ୍ ପଦ ଛାଡ଼ିଦେଇଥିଲେ । ଏବେ ଟେଷ୍ଟରୁ ଛାଡ଼ିବା ପରେ ବେଶି ଚର୍ଚ୍ଚା ଆରମ୍ଭ ହେଉଛି । ଅଧିନାୟକ ପଦରୁ ଓହରିବା ପରେ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ହ୍ରାସ ପାଇବ ବୋଲି ଅନେକ ବିଶ୍ଲେଷକ ମତ ଦେଇଛନ୍ତି । ପୁମା ବିରାଟଙ୍କ ସହ ୧୧୦ କୋଟିର ଡିଲ୍ କରିଛି, ଯାହାର ଅବଧି ଆସନ୍ତା ୨୦୨୫ ପର୍ଯ୍ୟନ୍ତ ରହିଛି । ୨୦୨୧ରେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବିରାଟ ୧୮୦ କୋଟି ଇନକମ କରିଥିଲେ । ଇନଷ୍ଟାଗ୍ରାମରେ ଯେ କୌଣସି ବ୍ରାଣ୍ଡର ପୋଷ୍ଟ ପାଇଁ ସେ ୫ କୋଟି ଦାବି କରିଥାନ୍ତି । ତେବେ ବିରାଟ ଅଧିନାୟକ ପଦରୁ ଓହରି ଯାଇଥିଲେ ହେଁ ସେ ଯଦି ଆଗାମୀ ଦିନରେ ଶାନଦାର ପ୍ରଦର୍ଶନ ଜାରି ରଖନ୍ତି, ତେବେ ତାଙ୍କର ବ୍ରାଣ୍ଡ ଭାଲ୍ୟୁରେ କୌଣସି ପ୍ରଭାବ ପଡ଼ିବ ନାହିଁ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁରେ ଏବେ କୌଣସି ପରିବର୍ତ୍ତନ ଘଟିନଥିବାରୁ ବିରାଟଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିପାରେ ବୋଲି କିଛି ବିଶ୍ଲେଷକ ମଧ୍ୟ ମତ ଦେଇଛନ୍ତି ।

Get real time updates directly on you device, subscribe now.