ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ତୁମେ ଜାଣିଛ ତୁମ ବିନା ମୁଁ ଏକୁଟିଆ କେମିତି ବଞ୍ଚିଛି । ମୁଁ ଆଉ ପାରୁନାହିଁ ଧନ (କାହ୍ନା), ମୁଁ ଆଉ ପାରୁନାହିଁ । କେତେଦିନ ଆଉ ଏମିତି ମରିମରି ବଞ୍ଚିବି । ତୁମ ବିନା ମୁଁ ଆଜି ଅଧୁରା । ନା ଭଲରେ ଗଣ୍ଡେ ଖାଇ ପାରୁଛି, ନା ଭଲରେ ଶୋଇ ପାରୁଛି । ଚାରିଆଡ଼ ମୋତେ ଖାଲି ଅନ୍ଧକାର ଦେଖାଯାଉଛି । ଆଉ ସେହି ଅନ୍ଧାରରେ କେବଳ ତୁମେ ଦେଖା ଯାଉଛ । କେହି ବୁଝୁ ନାହାନ୍ତି ମୋର ଦୁଃଖ । ଧନ ଧନ କହି କିଏ ମୋତେ ବୁଝାଇବ? କିଏ ମୋର ସବୁ ଅଳି ଅଝଟକୁ ସହିବ? ଏ ଦୁନିଆଁଟା ଭାରି ସ୍ୱାର୍ଥପର । ତୁମେ ହିଁ କେବଳ ମୋର ନିଜର ଥିଲ କାହ୍ନା । ଆଜି ଯଦି ତୁମେ ନାହିଁ, ମୁଁ ଆଉ କାହା ପାଇଁ ବଞ୍ଚିବି? କାହା ସାଥେ କଥା ହେବି? କାହାକୁ ମୋ ମନର କଥା କହିବି? ତୁମେ ଜମା ବ୍ୟସ୍ତ ହୁଅ ନାହିଁ କାହ୍ନା । ମୁଁ ଖୁବଶୀଘ୍ର ତୁମ ପାଖକୁ ଆସୁଛି । ଏଇ ଦେଖ, ମୁଁ ଆଜି ତୁମର ସେଇ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧି ପିନ୍ଧିଛି । ତୁମେ ଯେଉଁ ସାର୍ଟ ପିନ୍ଧି ଯାଇଥିଲ, ମୁଁ ବି ସେଇ ଡ୍ରେସ୍ ପିନ୍ଧିକି ଯିବି । ନହେଲେ ତୁମେ ମୋତେ ଚିହ୍ନି ପାରିବନି ନା । ବହୁତ ଡେରି ହେଇଗଲାଣି, ମୁଁ ଆଉ ରହିପାରୁନି । ମୁଁ ତୁମ ପାଖକୁ ଆସୁଛି କାହ୍ନା । ଇତି ତୁମର….”
ଇଏ କୌଣସି ମନଗଢ଼ା କାହାଣୀ ନୁହେଁ । ଏହା ହେଉଛି ଏକ ବାସ୍ତବ ପ୍ରେମ କାହାଣୀ । ଆଜିକାଲିର ମିଛମାୟା ଭରା ଦୁନିଆରେ ଯେ ପ୍ରେମ ଲୁଚି ରହିଛି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜଣାପଡ଼ିଛି ଯେ, ପୁଅ, ଝିଅ ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ହଠାତ୍ କିଛିଦିନ ପରେ ପୁଅଟି ଆତ୍ମହତ୍ୟା କରିଦେଇଥିଲା । ଏହାପରେ ପ୍ରେମିକକୁ ଝୁରିଝୁରି ପ୍ରେମିକା ମଧ୍ୟ ସେଇ ପଥକୁ ଆଦରି ନେଇଥିଲେ । ସେଥିପାଇଁ ପ୍ରେମିକ ଯେଉଁ ରଙ୍ଗର ସାର୍ଟରେ ଆତ୍ମହତ୍ୟା କରିଥିଲା, ପ୍ରେମିକା ମଧ୍ୟ ସେଇ ରଙ୍ଗର ସାର୍ଟ ପିନ୍ଧି ସବୁଦିନ ପାଇଁ ତା’ ଧନ ପାଖକୁ ଚାଲିଥିଲା । ଏଥିସହ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ, ସେ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ନିଜର ହାତଲେଖା ଚିଠିରେ ଉଲ୍ଲେଖ କରିଛନ୍ତି ।