fbpx

ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ତଟରକ୍ଷୀ ବାହିନୀ, କୋଷ୍ଟ ଗାର୍ଡରେ ସାମିଲ ହେଲେ ମାର୍କ-୩ ଧ୍ରୁବ ଆଡଭାନ୍ସ ଲାଇଟ ହେଲିକପ୍ଟର

ନୂଆଦିଲ୍ଲୀ: ସମୁଦ୍ର ପଥରେ ସୀମାପାର ଆତଙ୍କବାଦୀ ଭାରତରେ ବେଆଇନ ଅନୁପ୍ରବେଶ ପାଇଁ ସବୁବେଳେ ପ୍ରୟାସ କରୁଥିବା ଦୃଷ୍ଟିରୁ ଭାରତୀୟ ତଟରକ୍ଷୀ ବାହିନୀ( କୋଷ୍ଟାଲ ଗାର୍ଡ)କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ବୁଧବାର ଦିନ ଏଥିରେ ସାମିଲ ହୋଇଛି ରାଷ୍ଟ୍ରାୟତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ)ଦ୍ୱାରା ନିର୍ମିତ ଦୁଇ ଅତ୍ୟାଧୁନିକ ମାକ-୩ ଧ୍ରୁବ ଆଡଭାନ୍ସ ଲାଇଟ ହେଲିକପ୍ଟର । କେରଳର କୋଚି ସ୍ଥିତ୍ ଭାରତୀୟ ତଟରକ୍ଷୀ ବାହିନୀର ୮୪୫ ସ୍କ୍ୱାଡନରେ ଏହି ଦୁଇ ହେଲିକପ୍ଟରକୁ ମୁତୟନ କରାଯିବ । ପୂର୍ବରୁ ଭାରତୀୟ ତଟରକ୍ଷୀ ବାହିନୀରେ ୧୦ଟି ଏହି ହେଲିକପ୍ଟର ସାମିଲ ହୋଇଥିଲା । ପରବର୍ତ୍ତୀ ସମୟରେ ଆହୁରି ୪ଟି ଏହି ହେଲିକପ୍ଟର ମୁତୟନ କରାଯିବା ଯୋଜନା ରହିଛି ।

ସୂଚନା ଯୋଗ୍ୟ ଯେ, ଏହି ହେଲିକପ୍ଟର ଉଭୟ ଆକ୍ରମଣ ଓ ସର୍ଚ୍ଚ  ଅପରେସନ କ୍ଷେତ୍ରରେ ନିୟୋଜିତ ହୋଇ ପାରିବ । ସେହିପରି ଏଥିରେ ଅତ୍ୟାଧୁନିକ ରାଡାର, ଇଲେକ୍ଟ୍ରୋ ଅପଟିକ ପଡ, ମେଡିକାଲ ଆଇସିୟୁ.ମେସିନ ଗନ୍‌ ଓ ଆଇ ଇଣ୍ଟେନସିଭ ସର୍ଚ୍ଚ ଲାଇଟ ଉପକରଣ ରହିଛି । ହାଲ ଏହି ପ୍ରକାରର ମୋଟ ୭୩ ହେଲିକପ୍ଟର ଭାରତୀୟ ସେନା, ନୌ ସେନା ଓ ତଟରକ୍ଷୀ ବାହିନୀକୁ ଯୋଗାଇବ ।

Get real time updates directly on you device, subscribe now.