କୋଟି କୋଟି ଗ୍ରାହକଙ୍କୁ ଏସବିଆଇ ଦେଲା ପୂଜା ଉପହାର: ‘ଅମୃତ କଲସ ଓ ଅମୃତ ବୃଷ୍ଟି’ ଯୋଜନାର ସମୟସୀମା ବଢ଼ିଲା

ନୂଆଦିଲ୍ଲୀ: ପାର୍ବଣ ଋତୁର ଆଗମରେ ମା’ ଧରିତ୍ରୀ ବକ୍ଷରେ ବିରାଜମାନ କରିଛନ୍ତି । ବିଭିନ୍ନ ମଣ୍ଡପମାନଙ୍କରେ ମା’ଙ୍କୁ ଭକ୍ତମାନେ ପୂଜାର୍ଚ୍ଚନା କରି ନିଜର ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପବତ୍ର ପୂଜା ଅବସରରେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର କୋଟି କୋଟି ଗ୍ର୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ‘ଅମୃତ କଲସ ଓ ଅମୃତ ବୃଷ୍ଟି’ ଯୋଜନାର ସମୟସୀମାକୁ ଏସବିଆଇ ବୃଦ୍ଧି କରିଛି ।

ପୂର୍ବରୁ ଏହି ଯୋଜନାର ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିଥିବା ବେଳେ ଏବେ ତାହା ୨୦୨୫ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏସବିଆଇର ଅମୃତ କଲସ ଯୋଜନା ୪୦୦ ଦିନର ଅବଧି ପାଇଁ ରହିଥିବା ବେଳେ ସେଥିରେ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ସେହିପରି ଅମୃତ ବୃଷ୍ଟି ଯୋଜନା ୪୪୪ ଦିନ ପାଇଁ ରହିଥିବା ବେଳେ ସେଥିରେ ଗ୍ରାହକଙ୍କୁ ୭.୨୫ ପ୍ରତିଶତ ସୁଧ ମିଳୁଛି । ଏହି ଯୋଜନାଗୁଡ଼ିକରେ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୫୦ ଆଧାର ଅଙ୍କର ଲାଭ ମିଳିବ । ଗତ ଜୁଲାଇ ୧୫ ତାରିଖରୁ ୪୪୪ ଦିନିଆ ଯୋଜନା ଆରମ୍ଭ କରାଯାଇଥିଲା । ତେବେ ଏହି ଯୋଜନାର ସମୟସୀମା ବୃଦ୍ଧି ଫଳରେ ଗ୍ରାହକଙ୍କୁ ଅଧିକ ରିଟର୍ଣ୍ଣ ପାଇବାରେ ସହାୟତା ମିଳିବ ।