fbpx

ଭାରତ ଯୋଡ଼ୋ ଯାତ୍ରା ସମୟରେ ଆଉ ଜଣେ କଂଗ୍ରେସ ନେତାଙ୍କ ହୃଦଘାତରେ ମୃତ୍ୟୁ; ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାରି ରହିଛି ଭାରତ ଯୋଡ଼ୋ ଯାତ୍ରା । ବହୁ ବିଶିଷ୍ଟ ବ୍ୟକ୍ତି ଏହି ଯାତ୍ରାରେ ସାମିଲ ହେଉଥିବା ଦେଖାଯାଉଛି । ତେବେ କଂଗ୍ରେସର ଏହି ଯୋଡ଼ୋ ଯାତ୍ରା ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଯାତ୍ରାରେ ସାମିଲ ହୋଇଥିବା ଆଉ ଜଣେ କଂଗ୍ରେସ ନେତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ମାଙ୍ଗିଲାଲ ଶାହା ବୋଲି ସୂଚନା ମିଳିଛି । ତେବେ ମାଙ୍ଗିଲାଲଙ୍କ ମୃତ୍ୟୁରେ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଜାରି ରହିଛି । ଏହି ଯାତ୍ରାରେ ଯୋଗଦେବା ପାଇଁ ଜିରାପୁରର ବାସିନ୍ଦା ତଥା କଂଗ୍ରେସ ନେତା ମାଙ୍ଗିଲାଲ ଶାହା ତାଙ୍କ ଗାଡିରେ ଆଗର ମାଲୱା ଠାରେ ପହଞ୍ଚିଥିଲେ । ଏହି ସ୍ଥାନରେ ତାଙ୍କୁ ହୃଦଘାତ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କୁ ସୁସନରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ଡାକ୍ତରଖାନାରେ କଂଗ୍ରେସ କର୍ମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପ୍ରିୟବ୍ରତ ସିଂ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ । ମୃତ ମାଙ୍ଗିଲାଲଙ୍କ ମୃତଦେହ ବ୍ୟବଚ୍ଛେଦ କରାନଯାଇ ଏକ ଘରୋଇ ଗାଡିରେ ଜିରାପୁରକୁ ନିଆଯାଇଥିଲା ।
ଏହାପୂର୍ବରୁ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମଧ୍ୟ ଏହି ଯାତ୍ରା ସହ ଜଡିତ ଜଣେ କଂଗ୍ରେସ ନେତା ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଭାରତ ଯୋଡା ଯାତ୍ରା ନାନ୍ଦେଡରେ ହେଉଥିବା ସମୟରେ ଯାତ୍ରାରେ ଯୋଗ ଦେଇଥିବା କୃଷ୍ଣକାନ୍ତ ପାଣ୍ଡେଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ କୃଷ୍ଣକାନ୍ତ ପାଣ୍ଡେ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ ଥିଲେ । ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତା ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.