fbpx

ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ‘ଆଣ୍ଟିମ୍ୟାଟର’: ଯାହାର ୧ ଗ୍ରାମ ପାଇଁ ଦେବାକୁ ଏତିକି କୋଟି

ପୃଥିବୀରେ ଏପରି ଅନେକ ପଦାର୍ଥ ରହିଛି ଯାହାର ମୂଲ୍ୟ କଳନା କରିହେବନାହିଁ । ତେବେ ଆମେ ଜାଣିବାରେ ଦାମୀ ସାମଗ୍ରୀ ମଧ୍ୟରେ ଦୁର୍ମୂଲ୍ୟ ଧାତୁ, ସୌଖୀନ ଗାଡ଼ି କି ବିଳାସପୂର୍ଣ୍ଣ ବଙ୍ଗଳା ବା ହୀରାଖଚିତ ଗହଣା ଆଦି ରହିଛି । ତେବେ ଏମିତି କିଛି ସାମଗ୍ରୀ ରହିଛି ଯାହାର ମାତ୍ର ଗୋଟିଏ ଗ୍ରାମ୍ ପରିମାଣ କିଣିବା ଲାଗି ଏକାଧିକ ଦେଶର ସମସ୍ତ ସମ୍ପତ୍ତି ଠୁଳ କରିବାକୁ ପଡ଼ିବ । ଆଲୋଚ୍ୟ ସାମଗ୍ରୀଟି ହେଉଛି ‘ପ୍ରତିବସ୍ତୁ’ ବା ଆଣ୍ଟିମ୍ୟାଟର । ଏହା ବସ୍ତୁ କଣିକାର ଠିକ୍ ବିପରୀତ କଣିକା ।

ଦୀର୍ଘଦିନ ଯାଏ ବୈଜ୍ଞାନିକମାନଙ୍କର ଏକ ଧାରଣା ରହି ଆସିଥିଲା କି ଆମ ବିଶ୍ୱର ଅସ୍ଥିତ୍ୱ କେବେ ରହିନଥାନ୍ତା । କାରଣ ‘ବିଗ୍ ବ୍ୟାଙ୍ଗ’ ପରେ ସୃଷ୍ଟ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥାରେ ବସ୍ତୁ ଓ ପ୍ରତିବସ୍ତୁଗୁଡ଼ିକ ପରସ୍ପରକୁ ପ୍ରଭାବଶୂନ୍ୟ ବା ନିରପେକ୍ଷ କରିଦେବା ହେତୁ କୌଣସି ସାମଗ୍ରୀର ସ୍ଥିତି ସମ୍ଭବ ହୋଇନଥାନ୍ତା । ମାତ୍ର ସୌଭାଗ୍ୟକୁ ତାହା ଘଟିନାହିଁ ଏବଂ ସୃଷ୍ଟିରେ ଆମେ ବିଦ୍ୟମାନ । ସୁତରାଂ ପ୍ରତିବସ୍ତୁର ପରିମାଣଠୁ ବସ୍ତୁର ପରିମାଣ ବଳିଯିବାରୁ ଏହି ବିଶ୍ୱବ୍ରହ୍ମାଣ୍ଡ ତିଷ୍ଠି ରହିଛି ।

ପଦାର୍ଥବିଜ୍ଞାନର ତତ୍ତ୍ୱାନୁସାରେ ପ୍ରତିବସ୍ତୁ ହେଉଛି ସମାନ ବସ୍ତୁତ୍ୱ ବିଶିଷ୍ଟ ସାମଗ୍ରୀ ଯାହାର ବୈଦ୍ୟୁତିକ ବିଭବ ଠିକ୍ ବିପରୀତ । ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନ୍ ହେଉଛି ପଜିଟ୍ରନର ପ୍ରତିବସ୍ତୁ । ଉଭୟର ବସ୍ତୁତ୍ୱ ସମାନ ହୋଇଥିବା ବେଳେ ଇଲେକ୍ଟ୍ରୋନ୍ର ବୈଦ୍ୟୁତିକ ବିଭବ -୧ ଏବଂ ପଜିଟ୍ରନର ହେଉଛି +୧ । ପ୍ରତିବସ୍ତୁ ପ୍ରାକୃତିକ ଭାବେ ଉପଲବ୍ଧ ନଥିବା ବେଳେ କୃତ୍ରିମ ଉପାୟରେ ତାହାକୁ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଏ ।

ତେବେ ଗୋଟିଏ ମିଲିଗ୍ରାମ ପ୍ରତିବସ୍ତୁର ପ୍ରସ୍ତୁତି ଖର୍ଚ୍ଚ ସାଢ଼େ ୬୨ ଟ୍ରିଲିଅନ୍ ଡଲାର ବା ୫,୦୦୦ ଟ୍ରିଲିଅନ୍ ଟଙ୍କା ହେବ । ଗତ କିଛି ବର୍ଷ ଧରି ୟୁରୋପୀୟ ଆଣବିକ ଗବେଷଣା ସଂଗଠନ (ସର୍ଣ୍ଣ)ର ବୈଜ୍ଞାନିକମାନେ ଉଦଯାନର ପ୍ରତିବସ୍ତୁ ‘ଆଣ୍ଟିହାଇଡ୍ରୋଜେନ’ ସଂଶ୍ଳେଷଣ କରିବାରେ ସଫଳ ହୋଇଛନ୍ତି ଏବଂ ତାହାର ପରିମାଣ ମାତ୍ର ୧.୬୭ ନାନୋଗ୍ରାମ୍ । ଗୋଟିଏ ନାନୋଗ୍ରାମ୍ ହେଉଛି ଏକ ଗ୍ରାମରେ ଶହେ କୋଟି ଭାଗରୁ ଏକଭାଗ । ସେଥିରୁ ଏହା କେତେ ସ୍ୱଳ୍ପ, ତାହା ଅନୁମେୟ । ତେବେ ଏହି ହାରରେ ଗୋଟିଏ ଗ୍ରାମରେ ଆଣ୍ଟିହାଇଡ୍ରୋଜେନ୍ ପ୍ରସ୍ତୁତ କରିବାକୁ ପ୍ରାୟ ୬୦ କୋଟି ବର୍ଷ ଲାଗିଯିବ ଏବଂ ସେଥିପାଇଁ ୨୫୮୦ ଟ୍ରିଲିଅନ୍ ଡଲାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.