fbpx

ଆଧାର ତଥ୍ୟ ରହିବ ସୁରକ୍ଷିତ, ଆପଣାନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଧାର ତଥ୍ୟ ସୁରକ୍ଷାକୁ ନେଇ ପୁଣି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ନିକଟରେ ୟୁଆଇଡିଏଆଇ ଦ୍ୱାରା ଆଧାର କାର୍ଡ ଫଟୋକପି କୌଣସି ସଂସ୍ଥାନରେ ନ ଦେବାକୁ କୁହାଯାଇଥିଲା ଏବଂ କୁହାଯାଇଥିଲା ଯେ ଏମିତି କରିବା ଦ୍ୱାରା ଆପଣଙ୍କ ଆଧାର କାର୍ଡର ଦୁରୂପଯୋଗ ହୋଇପାରେ । ଅବଶ୍ୟ ପରେ ୟୁଆଇଡିଆଇ ଏହି ବିବୃତ୍ତିକୁ ଫେରାଇ ନେଇଥିଲା ।

କିନ୍ତୁ ଏହା ପରେ ଏବେ ପୁଣି ଥରେ ଆଧାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ୟୁଆଇଡିଏଆଇ ଦାବି କରିଛି ଯେ ଆଧାରରେ ୟୁଜର୍ସଙ୍କ ତଥ୍ୟ ସଂପୂର୍ଣ୍ଣ ନିରାପଦ ରହିଛି ଏବଂ ୟୁଜର୍ସଙ୍କ ତଥ୍ୟର ସୁରକ୍ଷା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞଙ୍କ ଅନୂଯାୟୀ କିଛି ସୁରକ୍ଷା ଉପାୟ ଆପଣାଇବା ଦ୍ୱାରା ସୁରକ୍ଷିତ ରହିପାରିବେ । ତେବେ ଆସନ୍ତୁ ଜାଣିବା ଆଧାର ସୁରକ୍ଷିତ ରଖିବା ପାଇଁ ଆମକୁ କ’ଣ ଉପାୟ ଆପଣାଇବା ଦରକାର ।

ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ:

ଆଧାରର ଦୁରୂପଯୋଗ ରୋକିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଯେ ଆପଣଙ୍କ ମୋବାଇଲ ନମ୍ବର ଏବଂ ଇ-ମେଲ୍ ଆଧାର ସହ ସଂଯୋଗ ହୋଇ ରହିଥିବା ଦରକା । ଏହା ଦ୍ୱାରା ଆଧାରର ଭେରିଫିକେସନ ପାଇଁ ଓଟିପିର ଆବଶ୍ୟକତା ରହିବ । ଓଟିପି ବିନା ଆଧାର ଭେରିଫାଇ ହେବ ନାହିଁ । ଯଦି କେହି ବ୍ୟକ୍ତି ଆପଣଙ୍କ ଆଧାରର ଦୁରୂପଯୋଗ କରିବାକୁ ଚାହିବ ତେବେ ଓଟିପି କାରଣରୁ ତାହା ସମ୍ଭବ ହେବନାହିଁ । ଏଥିପାଇଁ ନିଜ ମୋବାଇଲ ନମ୍ବରକୁ ସବୁବେଳେ ଆଧାର ସହ ଲିଙ୍କ କରି ରଖିବା ଦରକାର । ଯଦି ଆପଣ ନମ୍ବର ବଦଳାଇଛନ୍ତି ତେବେ ନୂଆ ନମ୍ବରକୁ ଆଧାର ସହ ଅପଡେଟ କରାନ୍ତୁ ।

ମାସ୍କ୍ଡ ଆଧାର ବ୍ୟବହାର କରନ୍ତୁ:

ଯଦି ଆପଣଙ୍କୁ କେଉଁଠାରେ ଆଧାରର ଫଟୋକପି ଦେବାର ଆବଶ୍ୟକତା ରହିଛି । ତେବେ ଆପଣ ମାସ୍କ୍ଡ ଆଧାର କାର୍ଡର ଫଟୋକପି ଦେଇପାରିବେ । ମାସ୍କ୍ଡ ଆଧାରରେ ଆପଣଙ୍କ ସଂପୂର୍ଣ୍ଣ ଆଧାର କାର୍ଡ ନମ୍ବର ବଦଳରେ ଶେଷ ଚାରି ଅଙ୍କ ରହିଥାଏ । ଏଥିରେ ଆପଣଙ୍କ ଆଧାରର ଭେରିଫିକେସନ ତ ହୋଇଯିବ ଏହା ସହ ଆପଣଙ୍କ ପୂରା ଆଧାର ନମ୍ବର ମଧ୍ୟ ଦେଖାଯିବନି ଫଳରେ କେହି ଆଧାରର ଦୁରୂପଯୋଗ କରିପାରିବେ ନାହିଁ । ଏହାକୁ ଆପଣ ୟୁଆଇଡିଆଇ ୱେବସାଇଟରୁ ଡାଉନଲୋଡ କରିପାରିବେ ।

ବାୟୋମେଟ୍ରିକ୍ସକୁ ଲକ କରନ୍ତୁ:

ଆପଣ ଆପଣଙ୍କର ବାୟୋମେଟ୍ରିକକୁ ଲକ୍ କରିପାରିବେ । ବାୟୋମେଟ୍ରିକ୍ ଲକ୍ କରିବା ଦ୍ୱାରା ଫିଙ୍ଗରପ୍ରିଣ୍ଟ ଏବଂ ଆଖିର ଚିହ୍ନକୁ କେହି ଆପଣଙ୍କ ବିନା ଅନୁମତିରେ ବ୍ୟବହାର କରିପାରିବେ ନାହିଁ । ୟୁଆଇଡିଏଆଇର ୱେବସାଇଟକୁ ଯାଇ ଆପଣ ଆପଣଙ୍କର ବାୟୋମେଟ୍ରିକକୁ ଲକ୍ କରିପାରିବେ । ଏହାକୁ ଆପଣ ସ୍ଥାୟୀ ଭାବରେ ମଧ୍ୟ ଲକ୍ କରିପାରିବେ ।

ଭର୍ଚୁଆଲ ଆଇଡିର କରନ୍ତୁ ପ୍ରୟୋଗ:

ଭର୍ଚୁୁଆଲ ଆଇଡିରେ ଆଧାର ନମ୍ବରକୁ ଲୁଚାଯାଇଥାଏ ଏବଂ ଏକ ୧୬ ଅଙ୍କର ଭର୍ଚୁଆଲ ଆଇଡି ଦିଆଯାଇଥାଏ । ଏଥିରେ ୟୁଜରଙ୍କ ଆଧାର ନମ୍ବର ବିନା ପରିଚୟ ପ୍ରମାଣିତ ହୋଇଥାଏ । କାରଣ ଭର୍ଚୁଆଲ ଆଇଡି କିଛି ସମୟ ପାଇଁ ବୈଧ ରହିଥାଏ । ଯେତେବେଳେ ନୂଆ ଭର୍ଚୁଆଲ ଆଇଡି ତିଆରି ହୋଇଥାଏ ସେତେବେଳେ ପୁରୁଣା ଆଇଡି ଶେଷ ହୋଇଯାଏ । ଏହାକୁ ଆଧାର ୱେବସାଇଟ୍ କିମ୍ବା ଏମ-ଆଧାର ସହାୟତାରେ ବନାଇପାରିବେ ।

Get real time updates directly on you device, subscribe now.